ଭୁବନେଶ୍ୱର: ବହୁ ସ୍ୱାଧୀନତା ସଂଗ୍ରାମୀଙ୍କର ଉତ୍ସର୍ଗୀକୃତ ସେବା ଓ ତ୍ୟାଗପୂର୍ଣ୍ଣ ବଳିଦାନ ଯୋଗୁ ଁ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ କରିଥିଲା। ସେହିପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)। ୧୮୫୭ର ଐତିହାସିକ ସିପାହୀ ବିଦ୍ରୋହରେ ସାମିଲ ହୋଇ ବିପ୍ଳବୀ ଚନ୍ଦନ ହଜୁରୀ ଓଡ଼ିଶାର ଗର୍ବ ଓ ଗୌରବକୁ ଜାତୀୟ ସ୍ତରରେ ଉଚ୍ଚତମ ସୋପାନରେ ପହଞ୍ଚାଇ ପାରିଥିଲେ। ଝାନ୍ସୀରାଣୀ ଲକ୍ଷ୍ମୀବାଈଙ୍କ ଆହ୍ୱାନରେ ସୁଦୂର ଉତ୍ତରଭାରତରେ ଇଂରେଜମାନଙ୍କ ବିରୋଧରେ ତାଙ୍କର ଅସାଧାରଣ ବୀରତ୍ୱପୂର୍ଣ୍ଣ ରଣକୌଶଳ ପ୍ରଦର୍ଶନ ଇତିହାସର ଏକ ଚର୍ଚ୍ଚିତ ଅଧ୍ୟାୟ। ଚାଖି ଖୁଣ୍ଟିଆ ଏକାଧାରରେ ଜଣେ କବି, ମହାନବିପ୍ଳବୀ, ସମାଜ ସଂସ୍କାରକ ଏବଂ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଥିଲେ। ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଅବଦମିତ ଦେଶପ୍ରେମ ପାଇଁ ସେ ସର୍ବଦା ଏ ଜାତିର ପ୍ରାତଃସ୍ମରଣୀୟ।
ଆଜି ଓଡ଼ିଶାର ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ୨୦୦ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚାନ ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ କଳ୍ପନାଛକଠାରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ତଥା ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରତିମୂର୍ତ୍ତି ସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ। ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଞ୍ଜନ ଖୁଣ୍ଟିଆ, ଉପନିର୍ଦ୍ଦେଶକ ବିଶ୍ୱଜିତ୍ ଦାଶ ଓ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।



