ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ କ୍ଷମତାର ଅପବ୍ୟବହାର ଏବଂ ଚାକିରି ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଭାରତ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)କୁ ସୁପାରିଶ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮ରେ ଆଲୋକ ବର୍ମା ଏକ ବଡଧରଣର ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଇଥିଲେ। ସିବିଆଇର ତତ୍କାଳୀନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଆଲୋକ ବର୍ମାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଶ୍ରୀ ବର୍ମା ଚର୍ଚ୍ଚାକୁ ବିବାଦୀୟ ହୋଇପଡିଥିଲେ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ଶ୍ରୀ ବର୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁପିଏସସିକୁ କହିଛି। ଏକ ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ଶ୍ରୀ ବର୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପଛରେ ଦୁର୍ନୀତି କାରଣ ଦର୍ଶାଯିବା ସହିତ ସେ ସିବିଆଇ ନିର୍ଦ୍ଦେଶକ ଥିବା ସମୟରେ ତାଙ୍କ କ୍ଷମତାର ଅପବ୍ୟବହାର କରିଥିବା କୁହାଯାଇଛି। ସୂଚନାଯୋଗ୍ୟ ଯେ ପେଗାସସ୍ ଗୁଇନ୍ଦାଗିରି ତାଲିକାରେ ଆଲୋକ ବର୍ମାଙ୍କ ନାମ ମଧ୍ୟ ରହିଥିବା କୁହାଯାଉଛି। ସରକାରଙ୍କ ପକ୍ଷରୁ କରାଯାଇଥିବା ସୁପାରିଶରେ କୁହାଯାଇଛି ଯେ ଶ୍ରୀ ବର୍ମାଙ୍କ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯିବା ଆବଶ୍ୟକ। ଯଦି ସରକାରଙ୍କ ସୁପାରିଶ କାର୍ଯ୍ୟକାରୀ କରାଯାଏ ତେବେ ବର୍ମାଙ୍କ ପେସନ ଏବଂ ଅବସର ପରବର୍ତ୍ତୀ ଆର୍ଥିକ ସୁବିଧା ସୁଯୋଗ ପ୍ରଭାବିତ ହେବ। ସୂଚନାଯୋଗ୍ୟ ଯେ ଡିଓପିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବାବେଳେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅମିତ ଶାହଙ୍କ ନେତୃତ୍ୱରେ ପରିଚାଳିତ ହେଉଛି। ୨୦୧୮ରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ତାଙ୍କ ସମେତ ଆସ୍ଥାନାଙ୍କୁ ମଧ୍ୟ ସିବିଆଇରୁ ହଟାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ଆସ୍ଥାନା ନିଜକୁ ଅଭିଯୋଗମୁକ୍ତ କରିଥିଲେ। ଗୁଜରାଟ ପାହ୍ୟା ୧୯୮୪ ବ୍ୟାଚ୍ର ଆଇପିଏସ ଅଧିକାରୀ ଆସ୍ଥାନାଙ୍କୁ ନିକଟରେ ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।
ସିବିଆର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ
Popular Categories



