ସମାଜ ପୋର୍ଟାଲ ଡେସ୍କ: କାନାଡାର ଅଲମ୍ପିକ୍ କ୍ରୀଡ଼ା କର୍ମକର୍ତ୍ତାମାନେ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ସ୍ଥଗିତ ରଖିବା ପାଇଁ ନିବେଦନ କରିଛନ୍ତି। କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଥିବା ଦୃଷ୍ଟିରୁ କାନାଡା ଏହାର କୌଣସି ଟିମ୍କୁ ୨୦୨୦ ଅଲମ୍ପିକ୍ସକୁପଠାଇବ ନାହିଁ ବୋଲି କହିଛି। କାନାଡା ଅଲମ୍ପିକ୍ କମିଟି ଏକ ବିବୃତିରେ କହିଛି କାନାଡା ଅଲମ୍ପିକ୍ କମିଟି ଓ କାନାଡା ଭିନ୍ନକ୍ଷମ ଅଲମ୍ପିକ୍ କମିଟି ପ୍ରତି ସେମାନଙ୍କର ସମସ୍ତ କ୍ରୀଡ଼ା କମିଶନ, ଜାତୀୟ କ୍ରୀଡ଼ା ସଂଗଠନ ଓ କାନାଡା ସରକାରଙ୍କର ପୂର୍ଣ୍ଣ ସମର୍ଥନ ରହିଛି। ୨୦୨୦ ଅଲମ୍ପିକ୍ସକୁ ନିଜର କୌଣସି ଟିମ୍ ନ ପଠାଇବା ପାଇଁ କାନାଡାକୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି କମିଟି ପକ୍ଷରୁ କୁହାଯାଇଛି।
ଆସନ୍ତା ଜୁଲାଇ ୨୪ରୁ ଆରମ୍ଭ ହେଉଥିବା ଏହି ଅଲମ୍ପିକ୍ କ୍ରୀଡ଼ାକୁ ସ୍ଥଗିତ ରଖିବା ପାଇଁ କାନାଡା ଅଲମ୍ପିକ୍ କମିଟି ପକ୍ଷରୁ ଆନ୍ତର୍ଜାତିକ ଅଲମ୍ପିକ୍ କମିଟିକୁ ନିବେଦନ କରାଯାଇଛି। ଇଟାଲୀରେ କୋଭିଡ-ନାଇଣ୍ଟିନ୍ ଜନିତ ମୃତ୍ୟୁସଂଖ୍ୟା ୧୪ ହଜାର ୪୦୦କୁ ଅତିକ୍ରମ କରିଯାଇଥିବା ଦୃଷ୍ଟିରୁ କ୍ରୀଡ଼ାବିତ୍ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କାନାଡା ଏହାର କୌଣସି କ୍ରୀଡ଼ା ଟିମ୍କୁ ଅଲମ୍ପିକ୍ସ କ୍ରୀଡ଼ାକୁ ନ ପଠାଇବା ପାଇଁ କମିଟି ଉପରେ ପ୍ରବଳ ଚାପ ପକାଯାଉଛି। ଆନ୍ତର୍ଜାତିକ ଅଲମ୍ପିକ୍ କମିଟି ସଭାପତି ଥୋମାସ ବାଚ୍ କହିଛନ୍ତି ଆସନ୍ତା କିଛିସପ୍ତାହ ମଧ୍ୟରେ ଅଲମ୍ପିକ କ୍ରୀଡ଼ା ସଂକ୍ରାନ୍ତରେ ଏକ ନିଷ୍ପତ୍ତି ନିଆଯିବ।



