ବୁର୍ଲା: ବୁର୍ଲା ଭିମସାରରେ ରୋଗୀ ସେବାକୁ କେନ୍ଦ୍ର କରି ପୁନର୍ବାର ଏକ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଉପସ୍ଥିତରେ ଡାକ୍ତରୀ ଛାତ୍ରଙ୍କ କଙ୍ଗାରୁ କୋର୍ଟରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ମାରିବା ପରେ ଜୋର ଜବରଦସ୍ତ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ବୁର୍ଲା ଥାନାରେ ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏକ ଏତଲା ଦିଆଯାଇଛି। ଏହି ମାମଲାରେ ଏସପି ଡ.ବିଶାଲ ସିଂହ ବୁର୍ଲା ଏସଡିପିଓ ଏବଂ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେହିପରି ଗତକାଲି ଡାକ୍ତରଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ବୁର୍ଲା ଭିମସାରର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ବୁର୍ଲା ଫାଣ୍ଡିକୁ ପ୍ରାୟ ୩ରୁ୪ ଘଣ୍ଟା ସମୟ ଧରି ଘେରାଉ କରାଯାଇଥିବା ବେଳେ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ନାୟୁଶଲ୍ୟ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ରବିବାର ପୂର୍ବାହ୍ନ ୧୧ଟା ସମୟରେ ଅସ୍ତ୍ରୋପଚାର ଗୃହରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ଝାରସୁଗୁଡା ଅଞ୍ଚଳର ଜଣେ ପକ୍ଷାଘାତ ରୋଗୀଙ୍କ ପୁଅ ମୁକେଶ ବେହେରା ଏବଂ ସମ୍ପର୍କୀୟ ପୁତୁରା ଝସକେତନ ରାଉଳ ଓରଫ ଆଲୋକ ଡାକ୍ତରଙ୍କୁ ଭେଟି ଘରୋଇ ନର୍ସିଂହୋମକୁ ଡିସଚାର୍ଜ କରିବା ପାଇଁ ଅନୁରୋଧ କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା କହି ତୁରନ୍ତ ଚିକିତ୍ସା କରିବାକୁ କହିଥିଲେ। ତେବେ ଡାକ୍ତର ଜଣକ ଅସ୍ତ୍ରୋପଚାର କରୁଥିବା କହି ବାହାରେ ଅପେକ୍ଷା କରିବାକୁ କହିଥିଲେ। ଏହା ପରେ ଉଭୟ ଯୁବକ ଡାକ୍ତରଙ୍କୁ ଠେଲାପେଲା କରିବା ସହିତ ଆକ୍ରମଣ କରିଥିଲେ। ଡାକ୍ତର ଚିତ୍କାର କରି ପିଜି ଡାକ୍ତରୀ ଛାତ୍ରଙ୍କୁ ଡାକିବା ପରେ ପିଜି ଛାତ୍ର ସେହି ଯୁବକ ଦୁଇ ଜଣଙ୍କୁ କାବୁ କରି ମାଡ ମାରିବା ସହ ଏକ କକ୍ଷରେ ଅଟକ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଆକ୍ରୋଶର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ଫାଣ୍ଡିକୁ ଆଣିଥିଲେ। ପଛରେ ପ୍ରାୟ ୨୦୦ ଜଣ ଡାକ୍ତରୀ ଛାତ୍ର ଆସି ଫାଣ୍ଡିକୁ ଘେରାଉ କରିବା ସହିତ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ଏହା ମଧ୍ୟରେ ପୁଲିସ ଉପସ୍ଥିତରେ ଡାକ୍ତରୀଛାତ୍ର ଝସକେତନଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ କହିଥିଲେ। ଯାହାର ଭିଡିଓ ଭାଇରାଲ ହୋଇଛି।
ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର, ବୁର୍ଲା ଥାନାଧିକାରୀ ବିଭୁତି ଭୂଷଣ ଭୋଇ, ହୀରାକୁଦ ଥାନାଧିକାରୀ ଅମରେନ୍ଦ୍ର ଶାଣ୍ଢଙ୍କ ସହିତ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଡାକ୍ତର ପଟଯୋଶୀଙ୍କ ଗୋଡ଼ ଧରିବାକୁ ଏବଂ କାନଧରି କ୍ଷମା ମାଗିବାକୁ ଝସକେତନକୁ କୁହାଯାଉଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ କ୍ଷମା ମାଗିବା ପାଇଁ ପୁଲିସ କେମିତି ଅନୁମତି ଦେଲା। ଏହା ଆଇନକୁ ଉଲ୍ଲଂଘନ କରିଯାଇଛି ବୋଲି ଖୋଦ ପୁଲିସ ଅଧିକାରୀମାନେ କହିଛନ୍ତି । ସେପଟେ ଏହି ଯେଉଁ କଁଙ୍ଗାରୁ କୋର୍ଟ ଚାଲିଥିଲା ତାକୁ ନେଇ ଏସପି ଏହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହାକୁ ନେଇ ବୁର୍ଲା ଥାନାରେ ହସ୍ପିଟାଲ ଅଧିକ୍ଷକଙ୍କ ତରଫରୁ ଏତଲାକୁ ଆଧାର କରି ଉଭୟ ଯୁବକଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଉକ୍ତ ରୋଗୀ ଥନସୁନ୍ଦର ବେହେରା ବୁର୍ଲା ଥାନାରେ ଉକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏକ ଏତଲା ଦେଇଛନ୍ତି ।



