Patra electronics

୧୨ ଲକ୍ଷ ଟଙ୍କାର ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ୧୨୦ ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ ଗାଡି ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

ଅବକାରୀ ବିଭାଗ ସୂଚନା ଅନୁଯାୟୀ, ସମ୍ବଲପୁର ସହରକୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲକାତାରୁ ସମଲେଶ୍ୱରୀ ଏକ୍ସପ୍ରେସ ଯୋଗେ ବ୍ରାଉନସୁଗାର ଚୋରା ଚାଲାଣ କରାଯାଉଥିବା ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା। ଏଣୁ ଅବକାରୀ ବିଭାଗ ଚାଲାଣକାରୀମାନଙ୍କୁ ଷ୍ଟେସନ ଅଞ୍ଚଳରେ ଧରିବା ଲାଗି ଜଗି ରହିଥିବା ବେଳେ ଚାଲାଣକାରୀମାନେ ଖସି ଯିବାକୁ ଉଦ୍ୟମ କରି ସମ୍ବଲପୁର ପୂର୍ବରୁ ରେଙ୍ଗାଲି ଷ୍ଟେସନରେ ଓହ୍ଲାଇ ଯାଇଥିଲେ । ଏହା ପରେ ଚାଲାଣକାରୀମାନେ ଏକ ସ୍କୁଟି ଜରିଆରେ ସୁନାପାଲି ଅଞ୍ଚଳସ୍ଥିତ ନିଜ ଘରକୁ ଆସୁଥିବା ବେଳେ ପୂର୍ବରୁ ଛକି ରହିଥିବା ଅନ୍ୟ ଏକ ଅବକାରୀ ଟିମ୍‌ ସେମାନଙ୍କୁ ଧରିଥିଲେ । ସେମାନଙ୍କୁ ଯାଞ୍ଚ କରାଯିବାରୁ ଚାଲାଣକାରୀମାନଙ୍କ ନିକଟରୁ ସମୁଦାୟ ୧୨୦ ଗ୍ରାମର ବ୍ରାଉନସୁଗାର ମିଳିଥିଲା। ଏ ନେଇ ଏକ ମାମଲା ରୁଜୁ କରି ଚାଲାଣକାରୀ ସୁନାପାଲି ନିବାସୀ ମହମ୍ମଦ ନସିମ ଓରଫ ଗୁଡ୍ଡୁ(୩୯) ଏବଂ ଧନକଉଡା ଗେଙ୍ଗୁଟିପାଲି ନିବାସୀ ବିନୋଦ ସାମଲ(୩୧)ଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି।

ବ୍ରାଉନସୁଗାର ଚାଲାଣକାରୀ ମହମ୍ମଦ ନସିମ ନାମରେ ପୂର୍ବରୁ ମଧ୍ୟ କିଛି ମାମଲା ରହିଥିବା ବେଳେ ଏକ ସଙ୍ଗରେ ଏତେ ପରିମାଣରେ ବ୍ରାଉନସୁଗାର ଧରାଯିବା ସମ୍ବଲପୁର ଜିଲା ଅବକାରୀ ଇତିହାସରେ ପ୍ରଥମ ଘଟଣା ବୋଲି ଅବକାରୀ ବିଭାଗ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅସିତ ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ, ୫ ମେ ୨୦୨୩ରେ ୧୯ ଗ୍ରାମ, ମେ ୨୦ରେ ୧୨ ଗ୍ରାମ, ୧୫ ଜୁଲାଇରେ ୧୩ ଗ୍ରାମ, ୨୯ ଅଗଷ୍ଟରେ ୧୬ ଗ୍ରାମ, ୪ ସେପ୍ଟେମ୍ବରରେ ୧୨ ଗ୍ରାମ, ୮ ସେପ୍ଟେମ୍ବରରେ ୧୭ ଗ୍ରାମ, ୧୨ ସେପ୍ଟେମ୍ବରରେ ୧୪ ଗ୍ରାମ, ୧୦ ଅକ୍ଟୋବରରେ ୧୫ ଗ୍ରାମ ଓ ୩୧ ଜୁଲାଇ ୨୦୨୪ ମସିହାରେ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଏବେ ଏକକାଳୀନ ୧୨୦ ଗ୍ରାମ ଜବତ କରାଯାଇଛି । ମେ ୨୦୨୩ ମସିହାରୁ ଆଜି ପର୍ଯ୍ୟନ୍ତ ଜିଲା ଅବକାରୀ ଦଳ ଦ୍ୱାରା ସୁନାପାଲି ଅଞ୍ଚଳରେ ୧୦ ଥର ଚଢ଼ଉ କରାଯାଇ ସମୁଦାୟ ୨୬୩ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଏହି ବେଆଇନ କାରବାରରେ ସାମିଲ ସମୁଦାୟ ୧୩ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇଛି। ଏହା ସତ୍ୱେ ଏହି ଅଞ୍ଚଳରେ ବ୍ରାଉନସୁଗାର କାରବାର ବନ୍ଦ ହୋଇନାହିଁ ଏବଂ ଏହା ସମ୍ବଲପୁରର ବ୍ରାଉନସୁଗାର ହବ୍ ରୂପେ କୁଖ୍ୟାତି ଅର୍ଜନ କରିଥିବା ସାଧାରଣରେ ମତପ୍ରକାଶ ପାଉଛି।

Comments are closed.