ବୌଦ୍ଧ : ପୁଲିସକୁ ଆକ୍ରମଣ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ରବିବାର ପୁଲିସ ଟିମ ପାଟ୍ରୋଲିଂ କରୁଥିବା ସମୟରେ ସହରର ବାପୁଜୀନଗରଠାରେ ରୋହିତ କୁମ୍ଭାର(୩୬) ନାମକ ଜଣେ ଯୁବକ ହଠାତ ଖଣ୍ଡା ଧରି ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ କର୍ମଚାରୀମାନେ ତାକୁ କାବୁ କରିନେଇ ଖଣ୍ଡାକୁ ଜବତ କରିଥିଲେ।
ବୌଦ୍ଧଥନା କେସ ନମ୍ବର ୧୪୭/୨୪ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉକି ସଂପୃକ୍ତ ଯୁବକ ଦୁଇଦିନ ତଳେ ସହରର ସାନ୍ଧ୍ୟ ଭ୍ରମଣ କରୁଥିବାବେଳେ ନୂଆସାହି କୋର୍ଟ ଛକ ନିକଟରେ ଜଣେ ମହିଳାଙ୍କୁ ଖତ୍ପାରେ ଆକ୍ରମଣ କରି ରକ୍ତାକ୍ତ କରି ଫେରାର ହୋଇଯାଇଥିଲା। ସଂପୃକ୍ତ ମହିଳା ବର୍ତମାନ ଗୁରୁତର ଅବସ୍ଥାରେ ବାହାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଉପରେ ଚାପ ବଢୁଥିବାବେଳେ ଆଜି ଅଭିଯୁକ୍ତ ପୁଲିସକୁ ଆକ୍ରମଣ ଉଦ୍ୟମ କରି ଗିରଫ ହୋଇଛି।



