ବୌଦ୍ଧ: ବୌଦ୍ଧରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅହେତୁକ ଭାବରେ ବଢି ବଢି ଚାଲିଛି। ଫଳରେ ଶ୍ମସାନ ଘାଟରେ ଗୋଟିଏ ଜୁଇର ନିଆଁ ଥଣ୍ଡା ନହେଉଣୁ ତାହା ଉପରେ ଆଉ ଏକ ଶବ ପୋଡାଯାଉଥିବା ଦୃଶ୍ୟ ସାଧାରଣଲୋକଙ୍କ ମନକୁ ବିଚଳିତ କରିବା ସ୍ୱାଭାବିକ। ଏପଟେ ବୌଦ୍ଧ ସହର ତଥା ଆଖପାଖ ଅଞ୍ଚଳ ପାଇଁ ଗୋଟିଏ ମାତ୍ର ଶ୍ମସାନ ଘାଟ ରହିଥିବାବେଳେ ଶବଦାହକୁ କାଠ ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ଗୋଟିଏ ମାତ୍ର କାଠ ଗୋଦାମ ରହିଛି। ପ୍ରତିଦିନ ଏକାଧିକ ଶବଦାହ କରାଯାଉଥିବା ଯୋଗୁଁ ବର୍ତ୍ତମାନ ଗୋଦାମରେ କାଠର ଅଭାବ ଦେଖା ଦେଇଥିବା ଜଣାଯାଇଛି। ବୌଦ୍ଧ ମାଳିସାହି ନିକଟରେ ବନ ନିଗମ ପକ୍ଷରୁ ଖୋଲା ଯାଇଥିବା ଏକମାତ୍ର ଗୋଦାମରେ ଶବଦାହ ପାଇଁ ସବୁ ସମୟରେ କାଠ ଗଛିତ କରି ରଖାଯିବାକୁ ନିର୍ଦ୍ଦେଶ ରହିଛି। ସାଧାରଣ ଲୋକ ଭୋଜିଭାତ ପାଇଁ ମଧ୍ୟ ଏହି ଗୋଦାମରୁ କାଠ ନେବାର ବ୍ୟବସ୍ଥା କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରୁ ସଂଗୃହୀତ ଜାଳପୋଯୋଗୀ କାଠକୁ ବନ ନିଗମ ପକ୍ଷରୁ ସଂଗ୍ରହ କରାଯାଇ ଏହି ଗୋଦାମ ଜରିଆରେ ଲୋକଙ୍କୁ ଯୋଗାଇ ଦିଆଯାଇଥାଏ। କିନ୍ତୁ କିଛିଦିନ ହେଲା ଲାଗାତାର ଭାବରେ ଶବଦାହ ଚାଲିଥିବାରୁ ଏହି ଗୋଦାମରେ ମଧ୍ୟ କାଠର ଘୋର ଅଭାବ ଦେଖାଦେଇଛି।
ଶୁକ୍ରବାର ଏକ ଶବଦାହ ପାଇଁ କାଠ ନମିଳିବାରୁ ସଂପର୍କିୟ ଓ ସାହି ବାସୀନ୍ଦାମାନଙ୍କୁ ଶ୍ମସାନଘାଟ ଠାରେ ପ୍ରାୟ ଦୁଇଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡିଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପରେ ବିଭିନ୍ନ ଲୋକଙ୍କ ଘରେ ଥିବା ଜାଳ କାଠ ସଂଗ୍ରହ କରି ଶବଦାହ କରିବାକୁ ପଡିଥିବା ଜଣାଯାଇଛି। ଦୁଇମାସ ମଧ୍ୟରେ ଜିଲାରେ କରୋନା ସଂକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ହୋଇସାରିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ବେସରକାରୀ ଭାବରେ ଏହାର ସଂଖ୍ୟା ଢେର ଅଧିକ। ଏହାବ୍ୟତୀତ ସାଧାରଣ ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦୁଇମାସ ମଧ୍ୟରେ ବୌଦ୍ଧ ଶ୍ମସାନ ଘାଟରେ ଦୁଇଶହରୁ ଊର୍ଦ୍ଧ୍ବ ଶବଦାହ କରାଯାଇଛି। ଗୋଟିଏ ଶବଦାହ କରିବାକୁ ଅତି କମ୍ ରେ ୩ କୁଇଣ୍ଟାଲ କାଠ ଆବଶ୍ୟକ ହେଉଥିବା ବେଳେ ଦୁଇମାସ ମଧ୍ୟରେ ଆନୁମାନିକ ୬ ଶହ କୁଇଣ୍ଟାଲ କାଠ ଶ୍ମସାନ ଘାଟରେ ଜଳି ସାରିଲାଣି। ଗ୍ରାମାଞ୍ଚଳରେ ଲୋକମାନେ ଶବଦାହ କରିବାକୁ ସାହି ପଡିଶାଙ୍କ ଠାରୁ କାଠ ସଂଗ୍ରହ କରି ନେଉଥିବା ବେଳେ ସହରାଞ୍ଚଳରେ କିନ୍ତୁ ବନ ନିଗମର ଗୋଦାମ ଉପରେ ନିର୍ଭରଶୀଳ। ସୂଚନା ମୁତାବକ ଓଡ଼ିଶା ବନ ନିଗମ ପକ୍ଷରୁ ବୌଦ୍ଧଜିଲାର ବୌଦ୍ଧ ସଦର ଓ ମନମୁଣ୍ଡା ଠାରେ ଜାଳକାଠ ବିକ୍ରୟ ପାଇଁ ଦୁଇଟି ଗୋଦାମ ରହିଛି। ବୌଦ୍ଧ ଗୋଦାମରେ କାଠର ଅଧିକ ଆବଶ୍ୟକତା ରହିଛି। ଶବଦାହ ପାଇଁ କାଠର ଅଭାବ ସଂପର୍କରେ ବନ ନିଗମର ଖଣ୍ଡିୟ ପରିଚାଳକ ପ୍ରସନ୍ନ ପାଣିଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ବୌଦ୍ଧରେ ଦୈନିକ ହାରାହାରି ୫ ଟି ଶବଦାହ କରାଯାଉଥବା ବେଳେ ଏଥିପାଇଁ ଅତି କମରେ ୧୫ କୁଇଣ୍ଟାଲ କାଠର ଆବଶ୍ୟକତା ରହିଛି। ଗୋଦାମରେ କାଠର ଅଭାବ ରହିଥିବା ଯୋଗୁଁ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ବୌଦ୍ଧ ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିବାବେଳେ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି ଏବଂ ଖୁବଶିଘ୍ର ବୌଦ୍ଧରେ ରହିଥିବା ଜାଳକାଠର ଅଭାବକୁ ପୂରଣ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।



