ବୌଦ୍ଧ ଜିଲାରେ ଶହେ କିଲୋମିଟର ପ୍ରବାହିତ ମହାନଦୀ , ପାନୀୟଜଳ ଓ ଚାଷ ପାଇଁ ଜଳ ନିଅଣ୍ଟ
ବୌଦ୍ଧ: ଆମ ରାଜ୍ୟ ଓଡ଼ିଶାର ଧନଧାନ୍ୟ ଓ ପ୍ରଗତି କ୍ଷେତ୍ରରେ ମହାନଦୀର ଅବଦାନ ଅତୁଳନୀୟ। ଓଡ଼ିଶାର ୧୬ଟି ଜିଲାକୁ ମହାନଦୀ ଛୁଇଁଛି। ବିଶୁଦ୍ଧ ପାନୀୟ ଜଳ ପାଇଁ ସମଗ୍ର ଓଡ଼ିଶାର ସିଂହଭାଗ ମହାନଦୀ ଉପରେ ନିର୍ଭରଶୀଳ। ୯୫୦୦ ବର୍ଗ କିଲୋମିଟର ମହାନଦୀ ଉପତ୍ୟକା ଓ ୨୦୦ କି.ମି. ଉପକୂଳକୁ ନେଇ ଏହା ପରିବ୍ୟାପ୍ତ। ଛତିଶଗଡ଼ ଓ ଓଡ଼ିଶାରେ ୮୫୮ କିଲୋମିଟର ପ୍ରବାହିତ ହେଉଥିବା ବେଳେ ବୌଦ୍ଧ ଜିଲା ଦେଇ ୧୦୦ କିଲୋମିଟରରୁ ଊର୍ଦ୍ଧ୍ବ ମହାନଦୀ ପ୍ରବାହିତ ହେଉଛି। ବୌଦ୍ଧ ଜିଲା ଶିଳ୍ପବିହୀନ ଜିଲା ଭାବେ ରାଜ୍ୟରେ ପରିଗଣିତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନାହିଁ। ଏହି ଜିଲାରେ ଆଜି ପର୍ୟ୍ୟନ୍ତ ପିଇବା ପାଇଁ ପାନୀୟ ଜଳ କିମ୍ବା ଚାଷଜମି ପାଇଁ ଜଳସେଚନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରାଯାଇ ପାରିନାହିଁ।
ଅପରପକ୍ଷରେ କେତେବେଳେ ଟିକରପଡ଼ା ନଦୀବନ୍ଧ ଯୋଜନା, ମଣିଭଦ୍ରା ନଦୀବନ୍ଧ ଯୋଜନା ଏବଂ ଆଉ କେତେବେଳେ ସିଣ୍ଡୋଲ ବ୍ୟାରେଜ କରିବା ପାଇଁ ଯୋଜନା କାଗଜକଲମରେ ପ୍ରସ୍ତୁତ କରି ବୌଦ୍ଧବାସୀଙ୍କ ମନରେ ଭୟ ସୃଷ୍ଟି କରୁଥିବାରୁ ଲୋକମାନଙ୍କର ବିକାଶ ଦିଗରେ ଏହା ମୁଖ୍ୟ ପ୍ରତିବନ୍ଧକ ସାଜିଛି। ବୌଦ୍ଧ ଜିଲା ଦେଇ ମହାନଦୀ ସହିତ ତେଲନଦୀ, ବାଘନଦୀ, ସାଲୁଙ୍କି ଆଦି ଚିରସ୍ରୋତା ନଦୀ ପ୍ରବାହିତ ହେଉଛି। ଚାଷଜମିକୁ ଜଳ ଯୋଗାଣ ପାଇଁ ଜିଲାରେ ଜଳସମ୍ପଦ ବିଭାଗ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଓ ବୃହତ ଜଳସେଚନ ବିଭାଗ କାର୍ୟ୍ୟ କରୁଛି। ବୌଦ୍ଧ ଜିଲାରେ କୃଷି ଉପଯାଗୀ ଜମି ୮୫ ହଜାର ହେକ୍ଟର ରହିଛି। ଚାଷ ଓ ଚାଷୀର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି। ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ଖର୍ଚ୍ଚ କରାଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଚାଷଜମିକୁ ପାଣି ଅଭାବରୁ ଚାଷୀମାନେ ପ୍ରତିବର୍ଷ ମରୁଡ଼ି କବଳିତ ହେଉଛନ୍ତି। ସାଲୁଙ୍କି ଜଳସେଚନ ଯୋଜନାରେ ବୌଦ୍ଧ ବ୍ଲକର ୧୫ଟି ପଞ୍ଚାୟତର ୧୪୪ ଗ୍ରାମର ୧୨୯୦୨ ହେକ୍ଟର ଓ ହରଭଙ୍ଗା ବ୍ଲକର ୭ଟି ପଞ୍ଚାୟତର ୭୨ଗୋଟି ଗ୍ରାମର ୭୧୬୯ ହେକ୍ଟର ଜମି ଜଳସେଚିତ ହେଉଛି। ସେହିପରି ବାଘବ୍ୟାରେଜ ନିର୍ମାଣ ହେବା ପରେ କଣ୍ଟାମାଳ ବ୍ଲକର ମାତ୍ର ୨ଟି ପଞ୍ଚାୟତର ୨୮ଟି ଗ୍ରାମର ୨ହଜାର ୩୨୭ହେକ୍ଟର ଜମି ଓ ବୌଦ୍ଧ ବ୍ଲକର ୫ଟି ପଞ୍ଚାୟତର ୮୨ଗୋଟି ଗ୍ରାମର ୮ହଜାର ୫୪୭ ହେକ୍ଟର ଜମିକୁ ଜଳସେଚିତ ହେଉଥିବା ଜଣାପଡ଼ିଛି। କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ୧୬ହଜାର ୯୮ ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ଉଠା ଜଳସେଚନ ଯୋଜନା ମାଧ୍ୟମରେ ୯୨୦ ହେକ୍ଟର ଜମିକୁ ଜଳସେଚନ କରାଯାଇଛି। ବୃହତ ଜଳସେଚନ ବିଭାଗ ପକ୍ଷରୁ ବୌଦ୍ଧ ଜିଲାର ୫ଟି ସ୍ଥାନରେ ହିଲୁଙ୍ଗ, ଧଳପୁର, ରାମଗଡ଼, ସାମ୍ପୋଚ ଓ ତିରୋଡ଼ ଠାରେ ୨୨ କୋଟି ୩୫ ଲକ୍ଷ ଟଙ୍କା ବିନିମୟରେ ୨୦୧୭ ମସିହାରୁ ମେଗା ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ ହିଲୁଙ୍ଗ ଓ ତିରୋଡ଼ ପ୍ରକଳ୍ପର କାର୍ୟ୍ୟ ୫୦ ପ୍ରତିଶତ ହୋଇଛି। ଅନ୍ୟ ୩ଟି ପ୍ରକଳ୍ପ ପାଇଁ ଆଜି ପର୍ୟ୍ୟନ୍ତ କାର୍ୟ୍ୟ ଆରମ୍ଭ ହୋଇନାହିଁ।
ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅମୃତ ଯୋଜନା, ବସୁଧା ଯୋଜନା, ଘରଘର ଜଳ, ସୁଜଳ ଏବଂ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା କାର୍ୟ୍ୟକାରୀ କରାଯାଉଛି। ବୌଦ୍ଧ ସହରରେ ବସୁଧା ଯୋଜନା ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଦେବା ପାଇଁ ଯାଜନା କାର୍ୟ୍ୟକାରୀ ହେଉଥିବା ବେଳେ ଆଜି ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ବିଭାଗୀୟ ଅଧରକାରୀଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ୧୫ କୋଟି ଟଙ୍କା ବିନିମୟରେ କରାଯାଇଥିବା ପାନୀୟଜଳ ବିଶୋଧନାଗାର ବୌଦ୍ଧ ସହରବାସୀଙ୍କୁ ୧୨ମାସ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି। ୨୦୦୯ ମସିହାରୁ ପ୍ରସ୍ତୁତ ହୋଇଥିବା ୯କୋଟି ଟଙ୍କାର ପ୍ରକଳ୍ପ ବୃଦ୍ଧି ପାଇ ୧୫ କୋଟିରେ ପହଞ୍ଚିଥିବା ବେଳେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ ଲୋକଙ୍କ କାମରେ ଲାଗିପାରୁ ନାହିଁ। ମହାନଦୀ ସୁରକ୍ଷା ପାଇଁ ଆସୁଥିବା ବିଭିନ୍ନ ଯୋଜନା ନଦୀବନ୍ଧ ସୁରକ୍ଷାରେ ରିଂୱାଲ୍, ଗ୍ରୀନ ମହାନଦୀ ଭଳି ଯୋଜନା ସଠିକ୍ ଭାବରେ କାର୍ୟ୍ୟକାରୀ କରାନଯାଇ ଆସିଥିବା ଅର୍ଥର ହରିଲୁଟ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ବୌଦ୍ଧ ଜିଲା ଦେଇ ପ୍ରବାହିତ ହେଉଥିବା ମହାନଦୀ ଜଳର ସଂରକ୍ଷଣ ସହ ବିନିଯୋଗ ଯୋଜନା କରାଗଲେ ରାଜ୍ୟର ବିକାଶ ହେବା ସହିତ ବୌଦ୍ଧ ଭଳି କୃଷିଭିତ୍ତିକ ଜିଲାର ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ ପାଉଛି।
Comments are closed.