କେନ୍ଦୁଝରଗଡ : ଜଣେ ନିର୍ଦ୍ଧିଷ୍ଟ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ୬ବର୍ଷ ଧରି କେନ୍ଦୁଝର ଜିଲାର ଜିଲାପାଳ ଭାବେ ନିଯୁକ୍ତ କରି ରାଜ୍ୟ ସରକାର କେନ୍ଦୁଝରକୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ପରୀକ୍ଷାଗାର ଭାବେ ବ୍ୟବହାର କରିଆସୁଛନ୍ତି । ଜିଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଏହା କହିଛନ୍ତି । କାମ୍ପା ପାଣ୍ଠିରେ କେନ୍ଦୁଝର ଜିଲାକୁ ମିଳିଥିବା ୧୫ହଜାର କୋଟିରୁ ଅଧିକ ଟଙ୍କାକୁ କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଧାର ସୂତ୍ରରେ ନେଇ ରାଜ୍ୟରେ ବିନିଯୋଗ କରିବା ପଛରେ କେନ୍ଦୁଝର ଜିଲାକୁ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ଯୋଜନାବଦ୍ଧ ଭାବେ ଲୁଟ୍ କରାଯାଇ ଆସୁଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି। ଖଣିଜସମ୍ପଦରେ ଭରପୁର କେନ୍ଦୁଝର ଜିଲାରେ ଶିଳ୍ପାନୁଷ୍ଠାନ ଦିନକୁ ଦିନ ବନ୍ଦ ହେବାକୁ ବସିଥିବା ବେଳେ ଜିଲାରୁ ଲୁହାପଥର ରପ୍ତାନୀ ହୋଇ ଜିଲା ଓ ରାଜ୍ୟ ବାହାରେ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ହେବା ଜିଲାବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ କେତେ ଦରଦ ସେ ନେଇ ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି । ଡିଏମଏଫ୍, ଓମ୍ବାଡସି ଓ କାମ୍ପା ପାଣ୍ଠିକୁ ଜିଲାର ତୃଣମୂଳସ୍ତରର ବିକାଶ ପାଇଁ ବିନିଯୋଗ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପାଇଁ ଉକ୍ତ ଅର୍ଥକୁ ଜିଲାରେ ନିୟୋଜିତ ପ୍ରଶାସନିକ ଅଧିକାରୀ ଶାସକ ବିଜେଡି ଦଳର ଫଣ୍ଡ ମ୍ୟାନେଜର ସାଜି ସରକାରୀ ଅର୍ଥକୁ ଯୋଜନାବଦ୍ଧ ଭାବେ ଲୁଟ୍ କରୁଥିବା ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଚନ୍ତି। ଚାରାରୋପଣ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ବିଭିନ୍ନ ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନାରେ ଆସୁଥିବା ଅର୍ଥ ହିତାଧିକାରୀଙ୍କୁ ବଣ୍ଟନ ଓ ରାସନ କାର୍ଡ ବଣ୍ଟନ ନାମରେ ଲୁଟ୍ ଚାଲିଥିବା ବେଳେ ଜିଲାରେ ଖଣିଜସମ୍ପଦ ଲୁଟ୍ ପରେ ଏବେ ଜିଲାର ଆନନ୍ଦପୁର ଉଖଣ୍ଡରୁ ବାଲି, ମୋରମ ଓ ମାଙ୍କଡାପଥର ଚୋରାଚାଲାଣରେ ପ୍ରଶାସନିକ ଅଧିକାରୀ ନୀରବଦ୍ରଷ୍ଟା ସାଜିବା ପରୋକ୍ଷରେ ଶାସକ ବିଜେଡି ନେତାଙ୍କ ଭାଗିଦାରୀରେ ଏହି ସମସ୍ତ ବେଆଇନ କାର୍ଯ୍ୟ ଚାଲି ଆସୁଥିବା ଶ୍ରୀ ବକ୍ସିପାତ୍ର ଗୁରୁତର ଅଭିଯୋଗ କରିଛନ୍ତି।
ଏହି ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାର ସହ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଜିଲା ବିଜେପି ପକ୍ଷରୁ ଅଗଷ୍ଟ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ୨୯୭ପଞ୍ଚାୟତ ସହ ବ୍ଲକ ଓ ସହରାଞ୍ଚଳରେ ବ୍ୟାପକ ଜନଆନ୍ଦୋଳନ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିସହ ଅଗଷ୍ଟ ୨୫ ଓ ୨୬ ତାରିଖ ଦୁଇଦିନ ଧରି ଜିଲାର ସମସ୍ତ ପଞ୍ଚାୟତର ଘରେ ଘରେ ଗୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରାଯିବ ବୋଲି କହିଥିଲେ। ପ୍ରାରମ୍ଭରେ ଜିଲା ସମ୍ପାଦକ ଶିବ କୁମାର ରାଠୋର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିବା ବେଳେ ରାଜ୍ୟ ଉପସଭାପତି ସୁକେଶୀ ଓରାମ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ମିଶ୍ର, ଶୁକଦେବ ମହାନ୍ତ, ଆଲୋକ ସେଠୀ, ସନ୍ତୋଷ ରାଉତ ଓ ପୃଥ୍ୱୀରାଜ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।



