www.samajalive.in
Monday, December 8, 2025
20.1 C
Bhubaneswar

ରାଜ୍ୟ ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖ: ନବୀନ

ଭୁବନେଶ୍ୱର : ଶଙ୍ଖଭବନରେ ରବିବାର ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକମାନଙ୍କୁ ଆହ୍ୱାନ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଗଣତନ୍ତ୍ରରେ ସରକାରଙ୍କର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତା’ଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ। ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହାସହିତ କହିଥିଲେ, ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନରେ ରାଜନୈତିକ ଅଭିସନ୍ଧି ଥିଲା। ଏହି କାର୍ଯ୍ୟକ୍ରମରେ ଆମ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁଣ୍ଣ ହୋଇଥିବା ଅନୁଭବ କରି ବିଜେଡି ସେହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ନବନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ସାଂସଦମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଲତବୀ ପ୍ରସ୍ତାବ, ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବ, ପ୍ରଶ୍ନୋତ୍ତର, ଶୂନ୍ୟକାଳ ଆଦି ଜରିଆରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟି କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ସଂସଦୀୟ ଶାସନ ବ୍ୟବସ୍ଥା ସମ୍ପର୍କରେ ସମ୍ବିଧାନର ଜନକ ଡ଼କ୍ଟର ବି ଆର ଆମ୍ବେଦକରଙ୍କ ମତ ଉଦ୍ଧୃତ କରି ବିରୋଧୀ ଦଳ ନେତା କହିଥିଲେ ଯେ, ସଂସଦୀୟ ଶାସନ ବ୍ୟବସ୍ଥା ଉତ୍ତରଦାୟୀ ହୋଇଥିବାରୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥାଠାରୁ ଏହା ଉତ୍ତମ। ୫୧ ବିଧାୟକଙ୍କୁ ନେଇ ବିଜେଡି ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି। ତେଣୁ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ କୌଣସି ସୁଯୋଗ ଆମେ ହାତଛଡା ନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ ପ୍ରମୁଖ ଶିବିରର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଜୁ ବାବୁ ଓ ଡ. ବି.ଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ବିରୋଧୀ ଦଳ ନେତା ମାଲ୍ୟାର୍ପଣ କରିଥିଲେ। ନବନିର୍ବାଚିତ ବିଧାୟକମାନଙ୍କ ତାଲିମ ପାଇଁ ଦଶଟି ବୈଷୟିକ ଅଧିବେଶନର ଆୟୋଜନ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories