www.samajalive.in
Monday, December 8, 2025
17.1 C
Bhubaneswar

ଆଜି ବିଜେପୁରବାସୀ ନିର୍ଦ୍ଧାରଣ କରିବେ ରୀତା, ଦିଲୀପ ଓ ସନତଙ୍କ ଭାଗ୍ୟ, ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ

ଭୁବନେଶ୍ୱର: ଏବେ ସାରା ରାଜ୍ୟର ନଜର ବିଜେପୁର ଉପରେ। ମାସାଧିକ କାଳ ଧରି ଚର୍ଚ୍ଚାରେ ଥିବା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଦେଢ଼ ବର୍ଷ ଭିତରେ ବିଜେପୁରବାସୀ ତୃତୀୟ ଥର ପାଇଁ ନିର୍ବାଚନର ସାମ୍ନା କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନ​‌ ପରେ ରାଜ୍ୟର ରାଜନୈତିକ ପାଣିପାଗ ବଦଳି ଯାଇଥିଲେ ମଧ୍ୟ ବିଜେପୁର ଉପନିର୍ବାଚନ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ତିନି ଦଳର ପ୍ରାର୍ଥୀ ଏକ ବଡ଼ ଧରଣର ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ସୋମବାର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁର ଭୋଟର। ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ଉପନିର୍ବାଚନରେ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକକୁ ​‌ନେଇ ଗଠିତ ବିଜେପୁର ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୩୨ହଜାର ୨୬୪ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୨୮୫ଟି ବୁଥ କରାଯାଇଛି। ଏସବୁ ବୁଥ ଭିତରୁ ୧୨୯ଟି ସମ୍ବେଦନଶୀଳ ଏବଂ ୬ଟି ମାଓପ୍ରବଣ ଅଞ୍ଚଳରେ ବୁଥ ରହିଛି।
ନିର୍ବାଚନ ମଇଦାନରେ ଅଛନ୍ତି ୧ ମହିଳା ଓ ୪ ପୁରୁଷ ପ୍ରାର୍ଥୀ। ଘମାଘୋଟ ଲଢ଼େଇ ଭିତରେ ଅନୁଷ୍ଠିତ ହେଉଥିବା ଏହି ଭୋଟ ସମୟରେ ବିଜେପୁରର ତିନିଟି ବ୍ଲକ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡ଼ି ନଯିବ ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ୧୪ଟି ସ୍ଥାନରେ ସିସିଟିଭି ଲଗାଯାଇଥିବାବେଳେ ୭୭ଟି ସ୍ଥାନରେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୨୭୫୦ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ପାଇଁ ପ୍ରତି ବୁଥରେ ୨ଜଣ ଲେଖାଏଁ ସ୍ବେଚ୍ଛାସେବୀ ରହିବେ ବୋଲି ସ୍ଥିର ହୋଇଛି। ଉପନିର୍ବାଚନ ପରିଚାଳନାରେ ୧,୮୯୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଏଥର ଉପନିର୍ବାଚନରେ ତିନି ଦଳର ପ୍ରାର୍ଥୀଙ୍କ ପାଇଁ ଦଳର ତୁଙ୍ଗ ନେତାମାନେ ରୋଡ଼ ଶୋ ସହିତ ଧୂଆଁଧାର ପ୍ରଚାର କରିଛନ୍ତି। ଶେଷ ମୁହୂର୍ତ୍ତରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସ ଯୋଗେ ଦୁଇ ଦିନ ଧରି ପ୍ରଚାର କରିଥିଲେ। ଅନୁରୂପ ଭାବେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗାଁକୁ ଗାଁ ବୁଲି ଭୋଟରଙ୍କ ସମର୍ଥନ ଲୋଡ଼ିଥିଲେ। ତିନି ପ୍ରମୁଖ ଦଳର ସବୁ ବରିଷ୍ଠ ନେତା ଦୁଇ ସପ୍ତାହ ଧରି ଡ଼େରା ପକାଇବା ସହିତ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ତେବେ ଭୋଟରଙ୍କ ମତାମତ କୁଆଡ଼େ ଯିବ ସେଥିପାଇଁ ଆଗାମୀ କାଲିର ନିର୍ବାଚନକୁ ଅପେକ୍ଷା ରହିଛି। ଆସନ୍ତା ୨୪ରେ ଭୋଟ ଗଣତି ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories