ମାସକରେ ୫୦ ବାଇକ୍‌ ଚୋରି, ଜିପିଏସ୍‌ ଟ୍ରାକର ଲଗାଇବାକୁ ଡିସିପିଙ୍କ ପରାମର୍ଶ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟିଆ। ପରେ ଚୋରି ଓ ଲୁଟ୍‌ପାଟ ବୃଦ୍ଧି ପାଇବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ଯେଉଁ ଆଶଙ୍କା କରିଥିଲେ। ତାହା ଏବେ ଦେଖିବାକୁ ମିଳିଛି। ରାଜଧାନୀରେ ବାଇକ୍‌ ଚୋରି ବୃଦ୍ଧି ପାଇଛି। ଏକ ଆକଳନ ଅନୁସାରେ ବର୍ଷର ପ୍ରଥମ ଜାନୁଆରୀ ମାସରେ ରାଜଧାନୀରୁ ୫୦ରୁ ଅଧିକ ବାଇକ୍‌ ଚୋରି ହୋଇସାରିଲାଣି। ବଜାରଘାଟରେ ଆଖିପିଛୁଳାକେ ଦୁର୍ବୃତ୍ତମାନେ ବାଇକ୍‌ ଗାଏବ୍‌ କରି ପଳାଉଛନ୍ତି। ଚୋରଙ୍କ ଉତ୍ପାତ ଏମିତି ହେଲାଣି ଲୋକେ ଘରୁ ବାହାରି ବଜାରଘାଟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ରାଜଧାନୀର ସବୁଠାରୁ ଅଧିକ ବାଇକ୍‌ ଚୋରି ମାମଲା କ୍ୟାପିଟାଲ୍‌ ଥାନାରେ ରୁଜୁ ହୋଇଛି। ସେହିପରି ସହିଦନଗର, ନୂଆପଲ୍ଲୀ, ଖାରବେଳନଗର ଓ ଖଣ୍ଡଗିରି ଥାନା ଅଞ୍ଚଳରେ ମଧ୍ୟ ବାଇକ୍‌ ଚୋରି ହୋଇଛି।

କ୍ୟାପିଟାଲରେ ୧୮ଟି ବାଇକ୍‌ ଚୋରି ମାମଲା ରୁଜୁ ହୋଇଥିବାବେଳେ ନୂଆପଲ୍ଲୀରେ ୮ଟି, ସହିଦନଗରରେ ୫ଟି, ଖାରବେଳନଗର ଓ ଖଣ୍ଡଗିରିରୁ ୧୦ରୁ ଅଧିକ ବାଇକ୍‌ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ରାଜଧାନୀର ଅନ୍ୟ ଥାନାରେ ମଧ୍ୟ ବାଇକ୍‌ ଚୋରି ମାମଲା ସଂଖ୍ୟା ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ବର୍ଷର ପ୍ରଥମ ମାସରେ ୫୦ରୁ ଅଧିକ ବାଇକ୍‌ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇସାରିଲାଣି। ୟୁନିଟ୍‌-୧ ହାଟ, ମାର୍କେଟ୍‌ ବିଲ୍‌ଡିଂ ଓ ଆଇଜି ପାର୍କ ନିକଟରୁ ସବୁଠାରୁ ଅଧିକ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମାର୍କେଟ୍‌ ଅଞ୍ଚଳରେ ବାଇକ୍‌ ଚୋରଙ୍କ ପ୍ରାଦୁର୍ଭାବ ସବୁଠାରୁ ଅଧିକ। ବାଇକ୍‌ ଚୋରି ଅଭିଯୋଗକୁ ନେଇ ପୁଲିସ ଚିନ୍ତାରେ ପଡ଼ିଛି। ମାର୍କେଟ ଏବଂ ନିଛାଟିଆ ସ୍ଥାନରେ ବାଇକ୍‌କୁ ବିଶେଷ କରି ଚୋର ଟାର୍ଗେଟ୍‌ କରୁଛନ୍ତି। ବାଇକ୍‌ ଚୋରି ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ନେଇ କମିସନରେଟ ପୁଲିସ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ମାଧ୍ୟମ‌େ‌ର ବାଇକ୍‌ ଚୋରି କରୁଥିବା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିଥିବା ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି। ତାଙ୍କ କହିବା ଅନୁସାରେ ପୂର୍ବରୁ ବାଇକ୍‌ ଚୋରି ମାମଲାରେ ଗିରଫ ହୋଇ ଜେଲ୍‌ ଯାଇ ଜାମିନ୍‌ରେ ମୁକୁଳିଥିବା ଅଭିଯୁକ୍ତଙ୍କୁ ଥାନାରେ ପ୍ରତି ସପ୍ତାହରେ ହାଜର ହେବା ଲାଗି କୁହାଯାଇଛି। ଏହାବ୍ୟତୀତ ବାଇକ୍‌ ମାଲିକଙ୍କୁ ଗାଡ଼ିରେ ଜିପିଏସ୍‌ ଟ୍ରାକର ଲଗାଇବାକୁ ଡିସିପି ପରାମର୍ଶ ଦେଇଛନ୍ତି। ସେହିପରି ମାର୍କେଟ୍‌ ଅଞ୍ଚଳରେ ପାର୍କିଂ କରିବା ସମୟରେ ଦ୍ବିତୀୟ ଲକ୍‌ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏହାଫଳରେ ବାଇକ୍‌ ଚୋରି ବହୁତ ହ୍ରାସ ପାଇବ ବୋଲି ସେ ମତ ଦେଇଛନ୍ତି।

Comments are closed.