କଲ୍ୟାଣସିଂହପୁର: ମେଘୁଆ ପାଗରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଶ୍ରୀଜୀଉଙ୍କ ରଥ ଶ୍ରୀମନ୍ଦିର ନିକଟରେ ଲାଗିଛି। ରବିବାର ଦିନ ହରିଶୟନ ଏକାଦଶୀ ହେଉଥିବାରୁ ରଥରେ ଦୁଇ ଦିନ ଧରି ଶ୍ରୀ ଜୀଉ ରହି ଭକ୍ତଙ୍କୁ ଦର୍ଶନ ଦେବେ। ତା’ପରେ ଶ୍ରୀଜୀଉ ଶ୍ରମନ୍ଦିରରେ ପ୍ରବେଶ କରିବେ। ଶନିବାର ସେବାୟତମାନେ ସକାଳୁ ଶ୍ରୀଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀ ଜଗନ୍ନାଥଙ୍କୁ ବୌଦ୍ଧ ଅବତାରରେ ସୁସଜ୍ଜିତ କରି ଧୂପଦୀପ ନୈବେଦ୍ୟ ଲାଗି କରିବା ପରେ ଦୁଆର ଫିଟାଯାଇଥିଲା। ସକାଳୁ ବର୍ଷା ସତ୍ବେ ଶ୍ରୀ ଜଗନ୍ନାଥଙ୍କ ବୌଦ୍ଧ ଅବତାର ଦେଖିବା ପାଇଁ ବହୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଏହି ଅବସରରେ କମିଟି ତରଫରୁ ଶ୍ରୀଜୀଉଙ୍କୁ ଖେଚୁଡ଼ି ଭୋଗ କରାଯାଇଥିଲା।
ଅପରାହ୍ନରେ ଶ୍ରୀଜୀଉଙ୍କ ଗୋଟି ପହଣ୍ଡି କରି ରଥାରୂଢ କରାଯାଇଥିଲା। ଅପରାହ୍ନ ୫ଟାରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିଲେ। ଶ୍ରୀ ଜଗନ୍ନାଥ ବଳଭଦ୍ର, ମା’ ସୁଭଦ୍ରା ଓ ପତିତପାବନ ଗୁଣ୍ଡିଚା ମନ୍ଦିରରେ ନଅ ଦିନ ଧରି ରହି, ସେହିଠାରେ ଶ୍ରୀ ଜଗନ୍ନାଥ ନଅ ଅବତାର ଧାରଣ କରିଥିଲେ।



