ଏଟିଏମ ଭାଙ୍ଗି ଲୁଟ୍, ୫ ଡକାୟତଙ୍କୁ ଧରିଲା ପୁଲିସ

ନବରଙ୍ଗପୁର : ନବରଙ୍ଗପୁର ସହରର ବ୍ଲକ ଅଫିସ ନିକଟରେ ଥିବା ଷ୍ଟେଟବ୍ୟାଙ୍କର ଏଟିଏମକୁ ଭାଙ୍ଗି  ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣା ଘଟିଛି ଗତ ରାତ୍ର ପ୍ରାୟ ୨.୩୦ମିନିଟ୍  ସମୟରେ । ତେବେ ଦୁର୍ବୃତ୍ତମାନେ  ଗ୍ୟାସ କଟରରେ ଏଟିଏମକୁ କାଟିବାବେଳେ ସେଠାରେ ନିଆଁ ଲାଗି କିଛି ଟଙ୍କା ଅଧା ଜଳି ଯାଇଛି । ତେବେ ଏହି ଲୁଟବେଳେ ଏକ ଆଲର୍ଟ ଷ୍ଟେଟବ୍ୟାଙ୍କର ମୁଖ୍ୟାଳୟକୁ ଯାଇଥିଲା । ସେଠାରୁ ଏକ ମେସେଜ ଆରକ୍ଷୀ ଅଧିକ୍ଷକଙ୍କ  ନିକଟକୁ ଆସିବା ପରେ ସେ ଜିଲାର ସମସ୍ତ ଥାନାକୁ ଆଲର୍ଟ କରିବା ସହିତ ଜିଲାର ସମସ୍ତ ସୀମାକୁ ସିଲ କରାଇଥିଲେ ।

ଏଟିଏମ ଲୁଟ ପରେ ଦୁର୍ବୃତ୍ତ ମାନେ  ପାପଡାହାଣ୍ଡି ଦେଇ ମୈଦଲପୁର ଯାଇଥିଲେ । ତେବେ ସେଠାରେ ଖସିବାର ବାଟ ନପାଇ ସେମାନେ ଡାବୁଗାଁ ପଟେ ଯାଇଥିଲେ । ବାଟରେ ଜଙ୍ଗଲରେ କାର ଛାଡି ଜଙ୍ଗଲ ଭିତରେ ଲୁଚି ପଡ଼ିଥିଲେ । ତେବେ ପୁଲିସ ପିଛା କରି କାର ଜବତ କରିବା ସହ ଏହି ଏଟିଏମ  ଲୁଟରେ ସମ୍ପୃକ୍ତ ୫ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏଟିଏମରୁ ଲୁଟ ହୋଇଥିବା ପ୍ରାୟ ୧୯ ଲକ୍ଷ ଟଙ୍କା ଷ୍ଟେଟ ବ୍ୟାଙ୍କକୁ ଦିଆଯାଇଛି  । ତେବେ ବ୍ୟାଙ୍କ ପକ୍ଷରୁ ହିସାବ ନିକାଶ ଚାଲିଥିବାରୁ କେତେ ଟଙ୍କା ଲୁଟ ହୋଇଥିଲା ଓ କେତେ ନୋଟ ଅଧା ଜଳିଛି  ତାହା ସ୍ପଷ୍ଟ ହେବ ବୋଲି ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା କହିଛନ୍ତି ।

 

Comments are closed.