ଆଠଗଡ:ରାଜ୍ୟ ସରକାରଙ୍କର ଇଲେକ୍ଟ୍ରୋନିକ ଓ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ ସୋମବାର ଆଠଗଡ ପରିଦର୍ଶନ କରି ପଞ୍ଚାୟତ ସମିତି ସମେତ ଖୁଣ୍ଟକଟା ପଞ୍ଚାୟତର ମୋ ସେବା କେନ୍ଦ୍ର ଏବଂ ବିଶ୍ୱନାଥ ବିଦ୍ୟାପୀଠ ପରିଦର୍ଶନ କରିଥିଲେ। ଶ୍ରୀ ପଟ୍ଟନାୟକ ଅପରାହ୍ନ ୪ଟାରେ ଖୁଣ୍ଟକଟା ପଞ୍ଚାୟତ କାର୍ଯ୍ୟାଳୟ ଓ ମୋ ସେବା କେନ୍ଦ୍ର ପରିଦର୍ଶନ କରିବା ପରେ ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସି ଆଇଟି ବିଭାଗର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ବ୍ଲକର ବିଭିନ୍ନ ବିଭାଗ ଏବଂ ବିଭିନ୍ନ ସ୍ଥାନରେ ଥିବା ମୋ ସେବା କେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହାପରେ ଶ୍ରୀ ପଟ୍ଟନାୟକ ବିଶ୍ୱନାଥ ବିଦ୍ୟାପୀଠ ପରିଦର୍ଶନ କରି ସେଠାରେ ୫-ଟି ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ସ୍ମାର୍ଟ ଶ୍ରେଣୀ କକ୍ଷ, ଇ ଗ୍ରନ୍ଥାଗାର ଓ ବିଜ୍ଞାନାଗାର ସମେତ ସଂଗୀତ ଶିକ୍ଷା କକ୍ଷ ତଦାରଖ କରିଥିଲେ। ସ୍ମାର୍ଟ ଶ୍ରେଣୀ କକ୍ଷରେ ଅନଲାଇନରେ ଏବଂ ଡିଜିଟାଲ ବୋର୍ଡରେ କିପରି ଶିକ୍ଷାଦାନ କରାଯାଉଛି ତାହା ସେ ଅନୁଧ୍ୟାନ କରିବା ସହିତ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।
ଶ୍ରୀ ପଟ୍ଟନାୟକ ଆଠଗଡରେ ପହଞ୍ôଚବା ପରେ ତାଙ୍କୁ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ବିଡିଓ ଶ୍ରୀ ସାହୁ, ଖୁଣ୍ଟୁକଟା ସରପଞ୍ଚ ମନୋଜ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ସାମଲ, ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ଚୌଧୁରୀ ସ୍ୱାଗତ କରିଥିଲେ। କଟକ ଜିଲ୍ଲା ଇ ଗଭରନାନ୍ସର ପରିଚାଳକ କିଶୋର କୁମାର ଆଚାର୍ଯ୍ୟ, ମୋ ସେବା କେନ୍ଦ୍ର ଜିଲ୍ଲା ସଂଯୋଜକ ଶୈଳେନ୍ଦ୍ର ସିଂହ ଓ ଆଧାର ସଂଯୋଜକ ପ୍ରଭାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



