ଆଠଗଡ: ଖରିଫ୍ ଋତୁ ୨୦୨୧-୨୨ବର୍ଷର ଧାନକ୍ରୟ ପୂର୍ବରୁ ଚଳିତବର୍ଷ ଚାଷୀମାନଙ୍କ ପଞ୍ଜିକରଣ ସଂପୂର୍ଣ୍ଣ ନୂତନ ଭାବେ କରାଯାଉଛି। ନିର୍ଦ୍ଧାରିତ ସମୟ ଅଗଷ୍ଟ ୧୬ମଧ୍ୟରେ ବହୁ ଚାଷୀ ପଞ୍ଜିକରଣ କରିପାରିନଥିବାରୁ ସମବାୟ ମନ୍ତ୍ରୀ ପଞ୍ଜିକରଣ ଅବଧିକୁ ୭ଦିନ ବୃଦ୍ଧି କରି ଅଗଷ୍ଟ ୨୩ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଚାଷୀମାନଙ୍କର ପ୍ରକୃତରେ କେତେ ଜମିରେ ଧାନ ଚାଷ କରାଯାଉଛି ତାର ସ୍ଥିତାବସ୍ଥା କିପରି ଏବଂ କେଉଁ ଉପାୟରେ ଯାଞ୍ଚ କରାଯିବ ସେ ନେଇ ଆଠଗଡ ଉପଖଣ୍ଡସ୍ତରୀୟ ଏକ ତାଲିମ ଶିବିର ସୋମବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଉଛି। ଆଠଗଡ ଉପଖଣ୍ଡର ୪ଟି ଯାକ ବ୍ଲକରେ ଏଥିପାଇଁ ସମବାୟ ସମିତିସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି। ଏଥିରେ ସମିତି ସଂପାଦକ, ସେ ଅଞ୍ଚଳର ରାଜସ୍ୱ ନିରୀକ୍ଷକ, ଗ୍ରାମ୍ୟ କୃଷିକର୍ମୀ, ଜଳସେଚନ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ।
ଯେଉଁ ଚାଷଜମି ଭୁଲେଖରେ ନାହିଁ, ସେଗୁଡିକ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯିବ। ସେହିପରି ଜଳସେଚିତ ଜମି ସଂପର୍କରେ ମଧ୍ୟ ଯାଞ୍ଚ କରାଯିବ। ଯେଉଁ ଜମିଗୁଡିକ ଚାଷ କରାନଯାଇ ଅନାବାଦି, ଘରବାଡି, ଖେଳପଡିଆ, ପର୍ବତ, ନଦୀ, ରେଳପଥ ଆଦି ଉଲ୍ଲେଖ ଥିବ ସେଗୁଡିକ ପଞ୍ଜିକରଣରୁ ବାଦ୍ ଦିଆଯିବ। ଏଥିସହିତ ଯେଉଁ ଢିପ ଜମିଗୁଡିକ ଧାନଚାଷ ପାଇଁ ଉପଯୁକ୍ତ ନୁହେଁ ସେଗୁଡିକ ମଧ୍ୟ ବାଦ୍ ଦିଆଯିବ। ଏ ସଂପର୍କରେ ସମସ୍ତ ସମବାୟ ସମିତି ସଂପାଦକ ଓ କମିଟିର ସଦସ୍ୟମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରାଯାଇଥିଲା। କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ସହକାରୀ ଯୋଗାଣ ଅଧିକାରୀ ଡଃ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ସମେତ ନରସିଂହପୁର ତହସିଲଦାର ଆଲୋକ ଦେହୁରୀ, ବଡମ୍ବା ତହସିଲଦାର ଦେବଦତ୍ତ ମହନ୍ତ, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ଏଆ.ର.ସି.ଏସ୍. ଅଶୋକ କୁମାର ପାଣି ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।



