www.samajalive.in
Thursday, December 11, 2025
26.1 C
Bhubaneswar

ଗଛକଟା ନେଇ ଗୃହ ସରଗରମ

-ସରକାରଙ୍କ ଉତ୍ତର ଦୁର୍ଭାଗ୍ୟଜନକ:ବିରୋଧୀ, -ନିରପେକ୍ଷ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର :ଢ଼େଙ୍କାନାଳ ଜିଲା ଓଡାପଡା ତହସିଲ ଅଧିନସ୍ଥ ବଳରାମପୁରରେ ବିୟର ଫାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗକୁ ନେଇ ଶନିବାର ବିଧାନସଭା ସରଗରମ ହୋଇ ଉଠିଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ସରକାରଙ୍କୁ ଶାଣିତ ଆକ୍ରମଣ କରାଯାଇଥିଲା। କେଉଁ ପରିପ୍ରେକ୍ଷୀରେ ୫୦ବର୍ଷରୁ ଊର୍ଦ୍ଧ୍ବ ବର୍ଷର ଶାଳ ଓ ପିଆଶାଳ ଭଳି ମୂଲ୍ୟବାନ ଗଛ କଟା ଗଲା, କେଉଁ ଅଧିକାରୀ ଉକ୍ତ ଗୋଚର ଜମିର କିସମ ପରିବର୍ତ୍ତନ କଲେ ଓ କାହା ଚାପରେ ଏସମସ୍ତ କାର୍ଯ୍ୟ ହେଲା ସେନେଇ ମନ୍ତ୍ରୀ ଉତ୍ତର ରଖିବାକୁ ଦାବି କରାଯାଇଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଉକ୍ତ ପ୍ରସଙ୍ଗରେ ବିଭାଗ ପକ୍ଷରୁ କୌଣସି ନୀତି ନିୟମ ଉଲ୍ଲଘଂନ ହୋଇ ନଥିବା କହିଥିଲେ। ସେ କହିଥିଲେ ଯେ ଉକ୍ତ ଜମିଟି ପତିତ କିସମ ଥିବାରୁ ସରକାର ଶିଳ୍ପର ବିକାଶ ପାଇଁ ମେସର୍ସ ପି. ଆଣ୍ଡ ଏ. ବଟଲର ପ୍ରାଇଭେଟ ଲି.କୁ ପ୍ରଦାନ କରିଥିଲେ। ଫାକ୍ଟ୍ରି ପାଇଁ ଯେଉଁ ଗଛ କଟା ଯାଇଛି ତାହା ପରିବେଶ ଦୃଷ୍ଟିରୁ ଚିନ୍ତାଜନକ। ଏହାକୁ ନେଇ ରାଜ୍ୟ ସରକାର ଗଛ କଟା ବନ୍ଦ କରିବା ସହିତ ଉକ୍ତ କମ୍ପାନୀର ଅନୁମତିକୁ ବାତିଲ କରିଛନ୍ତି। ଘଟଣାର ପୂର୍ଣ୍ଣାଙ୍ଗ ତଥ୍ୟ ଜାଣିବାପାଇଁ ଆର୍‍ଡିସିଙ୍କୁ ତଦନ୍ତ କରିବାକୁ ଦିଆଯାଇଛି। ରିପୋର୍ଟ ମିଳିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ତେବେ ଫାକ୍ଟ୍ରି ଶିଳାନ୍ୟାସ୍‍ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୌଣସି ପ୍ରକାର ଅନୁମତି ପ୍ରଦାନ କରାଯାଇନାହିଁ ବୋଲି ଶ୍ରୀ ରାଉତରାୟ ମୁଲତବି ପ୍ରସ୍ତାବର ଉତ୍ତରରେ କହିଛନ୍ତି। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟ ସରକାର ମଦ କମ୍ପାନୀ ସ୍ୱାର୍ଥ ପାଇଁ ଆଇନକୁ ମୋଡି ମକଚି ଦେଇଛନ୍ତି। ଖାଲି ସେତିକି ନୁହେଁ ପରିବେଶ ପ୍ରଦୂଷଣ ହେବ ଜାଣି ମଧ୍ୟ ବେଆଇନ ଭାବେ ମଦ କମ୍ପାନୀକୁ ଅନୁମତି ଦେଇଥିଲେ। ବିଭାଗୀୟ ମନ୍ତ୍ରୀ ଯେଉଁ ଉତ୍ତର ଦେଉଛନ୍ତି ତାହା ଦୁର୍ଭାଗ୍ୟଜନକ। ସବୁ ଜାଣିଶୁଣି ଗୃହକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି।

ସେ କହିଥିଲେ ଯେ ୧୯୮୦ର ଜଙ୍ଗଲ ଆଇନକୁ ସରକାର ଉଲ୍ଲଘଂନ କରିବା ସହିତ ବେଆଇନ ଭାବେ ଗୋଚର ଜମିର କିସମ ପରିବର୍ତ୍ତନ କରିଛନ୍ତି। ପଞ୍ଚାୟତ କିମ୍ବା ୱାର୍ଡସଭ୍ୟଙ୍କ ବିନା ଅନୁମତିରେ ଠିକାଦାର ପ୍ରୀତି ପାଇଁ ଗଛ କାଟିଛନ୍ତି। କେଉଁ ପରିପ୍ରେକ୍ଷୀରେ ଗୋଚର ଜମିର କିସମ ପରିବର୍ତ୍ତନ ହେଲା, ସରକାର କେଉଁ ଆଇନ ବଳରେ ଇଡ୍‍କୋକୁ ଜମି ହସ୍ତାନ୍ତର କଲେ ଏବଂ ଇଡ଼୍‍କୋ ଶିଳ୍ପ ପାଇଁ ଜମି ଆବଣ୍ଟନ କଲା ଏବଂ ୬୦ବର୍ଷର ଗଛ କଟାଗଲା ତାହାର ପ୍ରକୃତ ତଦନ୍ତ ହେବା ଦରକାର। ନିରପେକ୍ଷ ତଦନ୍ତ ସହିତ ଗଛର ପ୍ରକୃତ ମୂଲ୍ୟାୟନ କରି ସଂପୃକ୍ତ ଅଧିକାରୀଙ୍କଠାରୁ ଭରଣା କରିବା, ବନୀକରଣ କରିବା, ଗ୍ରାମବାସୀଙ୍କୁ ଅଧିକାର ଦେବା ଏବଂ ଗ୍ରାମବାସୀଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।
ସେହିପରି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମୁଲତବି ପ୍ରସ୍ତାବକୁ ସ୍ୱାଗତ କରି ନିରପେକ୍ଷ ଓ ନ୍ୟାୟିକ ତଦନ୍ତ କରାଯିବା ସହିତ କାହା ଫୋନରେ ଏତେ ସବୁ ଘଟଣା ଘଟିଲା ଏବଂ କିଏ ପ୍ରକୃତ ଦୋଷୀ ତାକୁ ଠାବ କରାଯାଇ ଦଣ୍ଡିତ କରିବାକୁ ଦାବି କରିଥିଲେ। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ ଯେ ତତ୍‍କାଳୀନ ଢ଼େଙ୍କାନାଳ ଜିଲାପାଳ ଉକ୍ତ ଗୋଚର ଜମିର କିସମ ପରିବର୍ତ୍ତନ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏସବୁ କରାଉଛନ୍ତି,ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ। କଂଗ୍ରେସ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି ମୁଲତବି ପ୍ରସଙ୍ଗ ଆଣି ସରକାରଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ଡାହାଣୀ ଓ ଗୁଣିଆ ଭୂମିକା ସହିତ କହି ତୀବ୍ର ସମାଲୋଚନା କରିଥିଲେ। ସରକାରୀଦଳ ମୁଖ୍ୟସଚେତକ ଅମର ପ୍ରସାଦ ଶତପଥୀ ଗଛକଟା ଘଟଣା ଠିକ୍‍ ହୋଇ ନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଥିଲେ। ଆଲୋଚନାରେ କଂଗ୍ରେସ ବିଧାୟକ କୈଳାସଚନ୍ଦ୍ର କୁଳେସିକା, ବିଜେଡ଼ି ବିଧାୟକ ସରୋଜ କୁମାର ସାମଲ, ବିଧାୟକ ବ୍ରଜକିଶୋର ପ୍ରଧାନ, ବିଧାୟକ କ୍ୟାପଟେନ୍‍ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଭାଗ ନେଇଥିଲେ।

Hot this week

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟଟ୍ଟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

Related Articles

Popular Categories