୧୯ ବର୍ଷରୁ କମ୍ ଏସିଆ କପ୍‌ କ୍ରିକେଟ : ପାକିସ୍ତାନକୁ ୬୦ ରନ୍‌ରେ ହରାଇଲା ଭାରତ

0

ମୋରାତୁୱା (ଶ୍ରୀଲଙ୍କା) :  ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି । ଶନିବାର ଗ୍ରୁପ୍‌ ‘ଏ’ର ଏକ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୬୦ ରନ୍‌ରେ ଭାରତୀୟ ୧୯ ବର୍ଷରୁ କମ୍ ଦଳ ପରାସ୍ତ କରିଛି। ଗୁରୁବାର ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଦିବସରେ ଭାରତ ଦୁର୍ବଳ କୁଏତ୍‌କୁ ପରାସ୍ତ କରିଥିଲା। ଅର୍ଜୁନ ଆଜାଦ୍‌ ଓ ତିଳକ ବର୍ମାଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭର ଶେଷରେ ୯ ୱିକେଟରେ ୩୦୫ ରନ୍ କରିଥିଲା। ପରେ ପାକିସ୍ତାନ ଅଧିନାୟକ ରୋହେଲ୍‌ ନାଜିର ଶତକ ମାରିଥିଲେ ହେଁ ୪୬.୪ ଓଭରରେ ପାକିସ୍ତାନ ୧୯ ବର୍ଷରୁ କମ୍ ଦଳ ୨୪୫ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଏହି ବିଜୟ ପରେ ୨ଟି ମ୍ୟାଚ୍‌ରୁ ସର୍ବାଧିକ ୪ ପଏଣ୍ଟ ପାଇ ଭାରତ ଶୀର୍ଷରେ ରହିଛି। ଆସନ୍ତା ୯ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ୩ୟ ଲିଗ୍‌ ମ୍ୟାଚ୍ ଖେଳିବ।
ଟସ୍ ଜିତି ଭାରତ ୧୯ ବର୍ଷରୁ କମ୍ ଦଳ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ସୁଭେଦ ପାରକର ୩ ରନ୍‌କରି ଆଉଟ ହେବା ପରେ ଅର୍ଜୁନ ଆଜାଦ୍ ଓ ତିଳକ ବର୍ମା ୨ୟ ୱିକେଟ ପାଇଁ ୧୮୩ ରନ୍ ​‌େ‌ଯାଗ କରିଥିଲେ। ଅର୍ଜୁନ ଆଜାଦ୍ ୧୧୧ ବଲ୍‌ରୁ ୪ଟି ଛକା ଓ ୧୧ଟି ଚୌକା ସହ ୧୨୧ ରନ୍ କରିଥିଲେ। ତିଳକ ବର୍ମା ୧୧୯ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୧୧୦ ରନ୍‌ କରିଥିଲେ। ଶାଶ୍ବତ ରାୱତ ୧୮ ଓ ଅଧିନାୟକ ଧ୍ରୁବ ଜୁରେଲ ୧୦ ରନ୍ କରିଥିଲେ। ଅଥର୍ବ ଆଙ୍କୋଲେକର ୧୬ ରନ୍‌କରି ଅପରାଜିତ ଥିଲେ। ପାକିସ୍ତାନର ନସିମ୍ ଶାହା ଓ ଆବାସ୍ ଅଲି ୩ଟି ଲେଖାଏଁ ୱିକେଟ ନେଇଥିଲେ। ପାକିସ୍ତାନ ୩୦୬ ରନ୍‌ର ପିଛା କରିଥିବା ବେଳେ ୫୩ ରନ୍‌ରେ ୩ଟି ୱିକେଟ ହରାଇଥିଲା। ୪ର୍ଥ ୱିକେଟ ପାଇଁ ରୋହେଲ ନାଜିର ଓ ହାରିସ୍ ଖାଁ ୩ୟ ୱିକେଟ ୧୨୦ ରନ୍ ଯୋଡ଼ିଥିଲେ। ହାରିସ୍ ଖାଁ ୫୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୩ ରନ୍ କରିଥିଲେ। ରୋହେଲ ନାଜିର ୧୦୬ ବଲ୍‌ ଖେଳି ୩ଟି ଛକା ଓ ୧୨ଟି ଚୌକା ସହ ୧୧୭ ରନ୍ କରିଥିଲେ। ଅଥର୍ବ ଆଙ୍କୋଲେକର ୩ଟି ଏବଂ ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ର ୨ଟି ଲେଖାଏଁ ୱିକେଟ ପାଇଥିଲେ। ଅର୍ଜୁନ ଆଜାଦ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Leave A Reply