ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ କୋଭିଡରେ ସଂକ୍ରମିତ ହୋଇଛନ୍ତି । କେଜରିୱାଲ ନିଜେ ଟ୍ୱିଟ୍‍ କରି ସଂକ୍ରମିତ ହୋଇଥିବା ଜଣାଇଛନ୍ତି । ଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜକୁ ସଂଗରୋଧରେ ରଖିବା ଏବଂ ନମୁନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି । ତେବେ ସେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତାଙ୍କ ନମୁନାରୁ ସେ ସଂକ୍ରମିତ ବୋଲି ଜଣାପଡିବା ପରେ ତାହା ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି ।
କେଜରିୱାଲ ଟ୍ୱିଟ୍‍ କରି କହିଛନ୍ତି, ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସେଥିପାଇଁ ସେ ନିଜ ଘରେ ସଂଗରୋଧରେ ରହିଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୧ ଡିସେମ୍ବର ଠାରୁ କେଜରିଓ୍‍ବାଲ ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଗୋଆ ଆଦି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡିକରେ ବିଭିନ୍ନ ସ୍ଥାନରେ ଜନସମାବେଶଗୁଡିକରେ ଉଦବୋଧନ ଦେଉଛନ୍ତି । ଇତିମଧ୍ୟରେ ଗତ ସପ୍ତାହରୁ ଦିଲ୍ଲୀରେ ଦୈନିକ କୋଭିଡ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ସଂପ୍ରତି ଓମିକ୍ରନ ପ୍ରକରଣ ପାଇଁ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟୁଥିବା ଜଣାଯାଇଛି । ଚଳିତ ମାସ ୩ ତାରିଖରେ ଦିଲ୍ଲୀରେ ୪୦୯୯ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମିତ ଚିହ୍ନଟ ହାର ୬.୪%କୁ ବୃଦ୍ଧିପାଇଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏଥିରେ କୋଭିଡ କଟକଣାକୁ ଅଧିକ କଡାକଡି କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

Comments are closed.