– ଭକ୍ତଙ୍କ ପାଇଁ ବ୍ୟବହୃତ ନିର୍ମାଣଧିନ ପୁଷ୍କରଣୀ ଓ ପାର୍କ କାର୍ଯ୍ୟକୁ ନେଇ ଅସନ୍ତୋଷ
– ଅଟକଳ ହୋଇଛି ୪୮ଲକ୍ଷ ଟଙ୍କା ; ଖର୍ଚ୍ଚ ହୋଇ ସାରିଛି ୩୨ଲକ୍ଷରୁ ଉର୍ଦ୍ଧ ଟଙ୍କା
ଆରଡି : ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମକୁ ଦୈନନ୍ଦିନ ସମେତ ବିଭିନ୍ନ ପର୍ବପର୍ବାଣୀରେ ଅଗଣିତ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହି ପୀଠକୁ ସୁନ୍ଦର ଭାବେ ସଜାଇବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ନାନାବିଧ ଯୋଜନା ପ୍ରଣୟନ କରାଯିବା ସହ ବିଭିନ୍ନ ଯୋଜନାର କାର୍ଯ୍ୟ ଏବେବି ଜାରି ରହିଛି। ଏଥିପାଇଁ ବିଭିନ୍ନ ସ୍କିମରେ ଯୋଗାଇ ଦିଆଯାଇଛି ଲକ୍ଷାଧିକ ଟଙ୍କା। ତାହାସହ ମନ୍ଦିର ବେଢା ଓ ବାବାଙ୍କ ପୁଷ୍କରିଣୀର ସୈାନ୍ଦର୍ଯ୍ୟକରଣ ସହ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅତିଥି ଭବନ ନିକଟରେ ଥିବା ପଞ୍ଚାୟତ ପୁଷ୍କରିଣୀକୁ ସୈାନ୍ଦର୍ଯ୍ୟକରଣ କରାଯିବା ସହ ଚତୁଃପାର୍ଶ୍ବରେ ପାର୍କ ନିର୍ମାଣ ପାଇଁ ଜିଲା, ବ୍ଲକ ଓ ପଞ୍ଚାୟତ ଦପ୍ତରରୁ ଯୋଗାଇ ଦିଆଯାଇଛି ୪୮.୪୪ଲକ୍ଷ ଟଙ୍କା।

ଏବେ ଏହି କାର୍ଯ୍ୟ ନିମନ୍ତେ ୩୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ହୋଇଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ବୁଧବାର ଏହି କାର୍ଯ୍ୟର ସମୀକ୍ଷା କରିବା ପାଇଁ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣୀ ନାୟକ, ଉପ-ପ୍ରକଳ୍ପ ନିର୍ଦେଶକ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାସ ପ୍ରମୁଖ କାର୍ଯ୍ୟ ହେଉଥିବା ସ୍ଥାନ ବୁଲି ଦେଖିବା ସହ ଅତିଥି ଭବନରେ ଏହାର ସମୀକ୍ଷା କରିଥିଲେ। ତେବେ ନିର୍ମାଣାଧିନ କାର୍ଯ୍ୟ ଓ ସମ୍ପନ୍ନ ହୋଇଥିବା କାର୍ଯ୍ୟକୁ ନେଇ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ବିଭାଗୀୟ କନିଷ୍ଠଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀଙ୍କ ଉପରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ନାୟକ ବିରକ୍ତି ପ୍ରକାଶ କରିଥିଲେ।



