ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ଜର୍ସି ସ୍ପନସର ବା ପ୍ରାୟୋଜକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହାର ଅବସାନ ଘଟିଛି। ଆପୋଲୋ ଟାୟାର୍ସ ଏବେ ଟିମ ଇଣ୍ଡିଆ ଜର୍ସିର ନୂଆ ପ୍ରାୟୋଜକ ହେବ। ଅନଲାଇନ ଗେମ୍କୁ ସରକାର ନିଷଦ୍ଧ ଘୋଷଣା କରିବା ପରେ ବିସିସିଆଇ ଡ୍ରିମ ଇଲେଭେନ ସହିତ ଚୁକ୍ତି ରଦ୍ଦ କରିଦେଇଥିଲା। ଏହା ପରେ ନୂଆ ସ୍ପନସର ଖୋଜାଯାଉଥିଲା। ଏବେ ଟିମ ଇଣ୍ଡିଆ ଖେଳାଳିମାନଙ୍କ ଜର୍ସିରେ ଆପୋଲୋ ଟାୟାର୍ସ ଲୋଗୋ ରହିବ।
ବର୍ତ୍ତମାନ ଆପୋଲୋ ଟାୟାର୍ସ ପ୍ରାୟୋଜକ ହେବା ପରେ ସମସ୍ତଙ୍କ ମନରେ ଉତ୍ସୁକତା ରହିଥିବ ଯେ କମ୍ପାନୀ ଗୋଟିଏ ମ୍ୟାଚ ପାଇଁ ବିସିଆଇକୁ କେତେ ଟଭ୍କା ଦେବ ? ପୂର୍ବ ଚୁକ୍ତିଠାରୁ ଏହା ଅଧିକ ନା କମ ? ରିପୋର୍ଟ ଅନୁସାରେ ଡ୍ରିମ ଇଲେଭେନ ସହିତ ୩ ବର୍ଷୀୟା ଚୁକ୍ତି ଥିବାବେଳେ କମ୍ପାନୀ ବିସିସିଆଇକୁ ୩୫୮ କୋଟି ଦେଉଥିଲା। କିନ୍ତୁ ନୂଆ ଆଇନ ଆସିବା ପରେ ବିସିସିଆଇ ନୂଆ ଟେଣ୍ଡର ଜାରି କରିଥିଲା। ମଙ୍ଗଳବାର ନିଲାମୀ ଶେଷ ହୋଇଥିବାବେଳେ ଆପୋଲୋ ଟାୟାର୍ସ ଟେଣ୍ଡର ପାଇଛି।
ଚୁକ୍ତି ଅନୁସାର ଆପୋଲୋ ଟାୟାର୍ସ ବିସିସିଆଇକୁ ମ୍ୟାଚ ପିଛା ୪.୫ କୋଟି ଟଙ୍କା ଦେବ, ଯାହା ଡ୍ରିମ ଇଲେଭେନଠାରୁ ଅଧିକ। ଡ୍ରିମ ଇଲେଭେନ ମ୍ୟାଚ ପିଛା ୪ କୋଟି ଦେଉଥିଲା। ବିସିସିଆଇ ଏବଂ ଆପୋଲୋ ଟାୟାର୍ସ ମଧ୍ୟରେ ଏହି ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ପ୍ରାୟ ୧୩୦ ମ୍ୟାଚ ଖେଳିବ।



