www.samajalive.in
Monday, December 8, 2025
27.1 C
Bhubaneswar

ଅନ୍ୟର ସେବାରେ ଜୀବନ…ଅଙ୍ଗନବାଡ଼ି କର୍ମୀ ରମା

ହିଞ୍ଜିଳିକାଟୁ: ସାରା ବିଶ୍ୱରେ ତାଣ୍ଡବ ରଚିଛି ମହାମାରୀ କରୋନା। ସେଥିପାଇଁ ଲକଡ଼ାଉନରେ ସମଗ୍ର ଦେଶ। ଘରେ ରୁହନ୍ତୁ ଓ ନିଜେ ସୁସ୍ଥ ରହିବା ସହିତ ପରିବାରକୁ ଓ ଦେଶକୁ ସୁରକ୍ଷିତ ରଖନ୍ତୁ ବୋଲି ସରକାରଙ୍କ ପକ୍ଷରୁ ଘନଘନ ପ୍ରଚାର କରାଯାଇଛି। ଜନସାଧାରଣ ଭୟରେ ଘର ଭିତରେ ରହିଛନ୍ତି। ତଥାପି କିଛି ଯୋଦ୍ଧା ଏହି ଲଢେଇ ପୁରୋଭାଗରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ହିଞ୍ଜିଳି ବ୍ଲକ ଅଞ୍ଚଳର ଅଙ୍ଗନବାଡି କର୍ମୀ ରମା ସାହୁ। ଜଣେ ସଚ୍ଚା କରୋନା ଯୋଦ୍ଧା ଭାବେ ରାଜ୍ୟସ୍ତରରେ ତାଙ୍କୁ ସମ୍ମାନିତ କରାଯିବାକୁ ଆଜି ଘୋଷଣା କରାଯାଇଛି। ହିଞ୍ଜିଳିକାଟୁ ବ୍ଲକର ୪୬ ବର୍ଷୀୟା ଅଙ୍ଗନବାଡ଼ି କର୍ମୀ ରମାସାହୁକର୍କଟ ରୋଗକୁ ଜୟ କରିଛନ୍ତି। ଭୟାନକ କର୍କଟକୁ ମାତ ଦେଇ ସେ ବର୍ତ୍ତମାନ ଅନ୍ୟକୁ ସାହାଯ୍ୟ କରିବାରେ ବ୍ରତୀ ଅଛନ୍ତି। ବିନା କୌଣସି ସ୍ବାର୍ଥ ବା ହାନିଲାଭ ବିଚାର ନକରି ଲୋକଙ୍କୁ ସେ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଛନ୍ତି। ନିଜ ଅଞ୍ଚଳର ଶିଶୁ, ଗର୍ଭବତୀ ମହିଳାଙ୍କୁ ସୁସ୍ଥ ରଖିବାକୁ ରମା ପଣ କରିଛନ୍ତି। କରୋନା ଭଳି ଏକ ମହାମାରୀ ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁନଥିବା ବେଳେ ଏହି ମହିଳା ନିଜ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି।

ହିଞ୍ଜିଳିକାଟୁ ବ୍ଲକର ଖଣ୍ଡରା ଗ୍ରାମର ୧ନଂ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ରମା ସାହୁଙ୍କ ନିଜ ଘର ନୟାଗଡ଼ ଜିଲାରର ନନ୍ଦିଘର। ୧୯୮୯ ମସିହାରେ ବ୍ରହ୍ମପୁରର ରମେଶ ଚନ୍ଦ୍ର ସାହୁଙ୍କ ସେ ବିବାହ କରିଥିଲେ। ହିଞ୍ଜିଳି ବ୍ଲକର ଖଣ୍ଡରା ଗ୍ରାମରେ ରହି ଏକ ଘରୋଇଇ ନର୍ସିଂହୋମରେ କାମ କରୁଥିଲେ। ୨୦୦୩ ମସିହାରେ ଖଣ୍ଡରା ଗ୍ରାମର ୧ନଂ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ୟ୍ୟରେ ଯୋଗ ଦେଇଥିଲେ। ସେହିଦିନଠାରୁ ସେ ଅଞ୍ଚଳର ସେବାରେ ନିୟୋଜିତରଖିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟାରୁ ତାଙ୍କର ୨ଗୋଟି ସନ୍ତାନଙ୍କୁ ସେ ହରାଇଥିଲେ। ଅନ୍ୟର କଥା ବୁଝୁ ବୁଝୁ ଦୁଇ ସନ୍ତାନଙ୍କୁ ହରାଇବା ଏବଂ ନିଜେ କର୍କଟ ରୋଗରେ ଆକ୍ରାନ୍ତ ହେବା ସତ୍ତ୍ବେ ସେବାରୁ ନିଜକୁ କେବେ ବି ଦୂରେଇ ନାହାଁନ୍ତି। ୨୦୧୪ ମସିହାରେ ମୁମ୍ବଇ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସତ ହୋଇ ଫେରିବା ପରେ ସେ ବର୍ତ୍ତମାନ ଆଚାର୍ୟ୍ୟ ହରିହର ମେଡ଼ିକାଲ କଲେଜରେ ନିୟମିତ ଚିକିତ୍ସିତ ହେଉଛନ୍ତି। ଏକ ଛୁଆକୁ କୋଳକୁ ନେଇ ତାକୁ ପାଠ ପଢାଉଛନ୍ତି। ତଥାପି ସେ ନିଜ କାମରେ ହେଳା କରିନାହାନ୍ତି। ଏଥି ନିମନ୍ତେ ସେ ସ୍ୱାମୀଙ୍କ ସହାୟତା ନେଇଥିାନ୍ତି। ସ୍ୱାମୀ ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଥିଲେ । କିନ୍ତୁ ରମାଙ୍କ ସ୍ୱାସ୍ଥ୍ୟ ଖରାପ ପରେ ଘରେ ଛୋଟବଡ଼ କାମ କରି ଅଧିକାଂଶ ସମୟ ରମାଙ୍କୁ ସହାୟତା କରିଥାନ୍ତି। ନିଜେ ରୋଗୀ ହୋଇ ମଧ୍ୟ ଅନ୍ୟମାନେ କିପରି ରୋଗମୁକ୍ତ ଜୀବନଯାପନ କରିବେ ଓ କରୋନା ଭଳି ମହାମାରୀରୁ ମୁକ୍ତି ପାଇବେ ସେନେଇ ରମା ଅହରହ କାର୍ୟ୍ୟରତ। କେବେ କାହାରି ପ୍ରଶଂସା କିମ୍ବା କାହାର ତିରସ୍କାରକୁ ଖାତିରି ନକରି ନିଜ କାମକୁ ସେ ଆଗେଇ ନେଇଛନ୍ତି। ଗତବର୍ଷ ବ୍ଲକ ତରଫରୁ ତାଙ୍କୁ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ଭାବେ ସମ୍ମାନିତ କରାଯାଇଥିଲା। ଆଜି କୋଭିଡ-୧୯ର ପରିଚାଳନା ମଣ୍ଡଳୀର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ରମାଙ୍କୁ କରୋନା ସମୟରେ ଉତ୍ତମ କାର୍ୟ୍ୟ କରୁଥିବା କାରଣରୁ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି। ରମା ତାଙ୍କ ଅଙ୍ଗନବାଡ଼ି କେନ୍ଦ୍ର ଅଧିନରେ ଥିବା ମୋଟ ୨୦୧ଟି ଘରକୁ ଖରାତରାରେ ବୁଲି ବୁଲି ଶିଶୁ ଓ ମା’ମାନଙ୍କୁ ସହାୟତାର ହାତ ବଢାଇ ଚାଲିଛନ୍ତି । ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ହିଞ୍ଜିଳି ବିଡ଼ିଓ ପ୍ରସନ୍ନକୁମାର ପାତ୍ର, ତହସିଲଦାର ଗୋପୀନାଥ କୂଅଁର, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଅଙ୍ଗନବାଡ଼ି ସୁପରଭାଇଜର ଓ ସହକର୍ମୀମାନେ ରମାଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories