ସମାଜ ପୋର୍ଟାଲ ଡେସ୍କ: ଗତ ୧୪ ଦିନ ମଧ୍ୟରେ ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ ଆଉ କୌଣସି ନୂଆ ବ୍ୟକ୍ତି କୋଭିଡ୍-ନାଇଣ୍ଟିନ୍ ଭୂତାଣୁରେ
ସଂକ୍ରମିତ ହୋଇନଥିବାର ଜଣାପଡ଼ିଛି। ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ଲୋକମାନଙ୍କର ମିଳିତ ପ୍ରୟାସ ଫଳରେ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ତଥ୍ୟ ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା ୭୯୬ ଜଣ ନୂଆ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିବା ପରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ୩୬୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦୩୬ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଚାଲିଯାଇଥିବା ବେଳେ ଭୂତାଣୁରେ ଏ ପର୍ଯ୍ୟନ୍ତ ୩୩୯ ଜଣଙ୍କର ମୃତ୍ୟୁ ଘଟିଛି।
ଇତି ମଧ୍ୟରେ ତାମିଲନାଡୁ, ପୁଡୁଚେରୀ, ମିଜୋରାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶ ସରକାର ଲକଡାଉନ ଅବଧିକୁ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପଲାନି ସ୍ୱାମୀ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୫ ଏବଂ ୧୪୪ ଧାରା ଅନୁସାରେ ରାଜ୍ୟରେ ଲକଡାଉନ ଅବଧି ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ଆଲୋଚନା କରିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପ।ରିଶ ଏବଂ ରାଜ୍ୟର ଡାକ୍ତରମାନଙ୍କ ସହ ଆଲୋଚନା ପରେ କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି। ତେବେ ଏହି ସବୁ ମଧ୍ୟରେ ରାସନ କାର୍ଡଧାରୀ ଏବଂ ସ୍ଥାନାନ୍ତରିତ ହୋଇ ଆସିଥିବା ଶ୍ରମିକମାନଙ୍କୁ ଆସନ୍ତା ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ଶ୍ରମିକ କଲ୍ୟାଣ ବୋର୍ଡର ସଭ୍ୟମାନେ ମାସିକ ଏକହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ମିଜୋରାମ ସରକାର ମଧ୍ୟ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଥାଙ୍ଗା ରାଜ୍ୟ ମନ୍ତ୍ରି ରିଷଦ ସହ ବୈଠକ ପରେ ଏହି ଘୋଷଣା କରିଛନ୍ତି। ତେବେ ଲକଡାଉନ ଅବଧି ବୃଦ୍ଧି ସମୟରେ କେତେକ କ୍ଷେତ୍ର ପାଇଁ ନିୟମ କୋହଳ କରାଯିବା ନେଇ ଘୋଷଣା କରିଛନ୍ତି। ସେହିପରି ରାଜ୍ୟ କ୍ୟାବିନେଟ୍ ବୈଠକରେ ସହମତି ପ୍ରକାଶ ପାଇବା ପରେ ମେଘାଳୟ ସରକାର ଲକଡାଉନ ଅବଧିକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧ଲକ୍ଷ ୨୦ ହଜାର ହିତାଧିକାରୀଙ୍କୁ ସପ୍ତାହକୁ ୭ଶହ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅରୁଣାଚଳ ପ୍ରଦେଶ ସରକାର ଲକଡାଉନ ଅବଧିକୁ ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ରାଜ୍ୟର ଛାତ୍ରଛାତ୍ରୀ ଓ ନାଗରିକମାନେ ୩୦ ତାରିଖ ସୁଦ୍ଧା ଅରୁଣାଚଳ ପ୍ରଦେଶକୁ ନ ଫେରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି।
ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣ ସ୍ୱାମୀ ଲକଡାଉନ ଅବଧିକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ଲକଡାଉନ ସମୟସୀମା ବୃଦ୍ଧି କରିଥିବାରୁ ଏହାର ସୀମାନ୍ତବର୍ତ୍ତୀ ରାଜ୍ୟ ଭାବେ ପୁଡୁଚେରୀରେ ମଧ୍ୟ ଏଭଳି ନିଷ୍ପତ୍ତି ନିଆଯାଇଥିବା
ସେ କହିଛନ୍ତି। ତେବେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ତାମିଲନାଡୁରୁ ଅଧିକ ଲୋକ ପୁଡୁଚେରୀକୁ ଆସୁଥିବାରୁ ଏଥିପ।ଇଁ ଅଧିକ କଟକଣା ଲାଗୁ କରାଯାଇଛି।



