ନୂଆଦିଲ୍ଲୀ : ଫରୀଦାବାଦର ମୋହବତାବାଦ ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାକାର ଅମିତ ଭଦାନା ନାମକ ଜଣେ ବାସିନ୍ଦା ପ୍ରମାଣିତ କରିଛନ୍ତି ଯେ, ଇଚ୍ଛାଶକ୍ତି ଓ ପାଖରେ କିଛି ଧନ ଥିଲେ ସଫଳତା ନିଶ୍ଚୟ ମିଳିଥାଏ । ଅମିତ୍ ବ୍ୟାଙ୍କରେ ଚାକିରି ଛାଡି କ୍ଷୀର ବିକିବା କାମ ଆରମ୍ଭ କରିଥିଲେ । ମାତ୍ର ଖାସ୍ କଥା ହେଉଛି, କ୍ଷୀର ବିକ୍ରି କରିବା ପାଇଁ କୌଣସି ସାଧାରଣ ଗାଡି ନୁହେଁ ବରଂ କୋଟି କୋଟି ଟଙ୍କା ଦାମ୍ର ଅଡି କାର୍ ବ୍ୟବହାର କରନ୍ତି । ଅମିତ୍ ସ୍ନାତକ ଶେଷ କରିବା ପରେ ବ୍ୟାଙ୍କରେ ସ୍ଥାୟୀ ଚାକିରି ପାଇଥିଲେ । ମାତ୍ର ବ୍ୟାଙ୍କର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ପାଖରେ ଥିବା ଦାମୀ କାର୍ ଓ ବାଇକ୍କୁ ଅଧିକ ବ୍ୟବହାର କରି ପାରୁନଥିଲେ।
ତାଙ୍କ ପରିବାର ପୂର୍ବରୁ କ୍ଷୀର ବ୍ୟବସାୟରେ ସକ୍ରିୟ ଥିଲେ । ଅମିତ୍ ସେହି ବ୍ୟବସାୟରେ ସମୟ ଦେବା ପାଇଁ ସ୍ଥିର କଲେ । ସେ ବ୍ୟାଙ୍କ ଚାକିରି ଛାଡି କ୍ଷୀର ବିକ୍ରି କରିବା କାମ ଆରମ୍ଭ କରି ଦେଲେ। ପ୍ରଥମେ ସେ ଏକ ହାର୍ଲି ଡେଭିଡସନ୍ ବାଇକ୍ କିଣି ନିଜ ସଉକ ପୂରଣ ସହ ବ୍ୟବସାୟରେ ମଧ୍ୟ ଏହି ବାଇକ୍ର ବ୍ୟବହାର କଲେ। ଧିରେ ଧିରେ ତାଙ୍କ ବ୍ୟବସାୟ ବୃଦ୍ଧି ହେବା ପରେ ସେ ଗୋଟିଏ ପରେ ଗୋଟିଏ ଗାଡି କିଣି ଚାଲିଲେ। ବର୍ତ୍ତମାନ ସେ ୧ କୋଟି ଟଙ୍କାର ଅଡି କାର୍ରେ କ୍ଷୀର ବ୍ୟବସାୟ କରୁଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ସେଠାକାର ଲୋକେ କହିଛନ୍ତି, ଅମିତ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ବାଇକ୍ରେ କ୍ଷୀର ବ୍ୟବସାୟ କରୁଥିଲେ ଏବେ କୋଟି କୋଟି ଟଙ୍କାର କାର୍ରେ କ୍ଷୀର ବ୍ୟବସାୟ କରୁଛନ୍ତି । ତାଙ୍କର କ୍ଷୀର ବ୍ୟବସାୟ କରିବାର ଏକ ଭିଡିଓ ମଧ୍ୟ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଲୋକେ ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।



