ବଡ଼ସାହି:ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଭୀମିଦା ପଞ୍ଚାୟତର ‘ଆମ ଗାଁ, ଆମ ବିକାଶ’ ଯୋଜନାରେ ନିୟମ ଉଲଂଘନ କରାଯାଇଥିବାରୁ ତାକୁ ଚେଲେଞ୍ଜ କରି ଉଚ୍ଚତମ ନ୍ୟାୟାଳୟଙ୍କ ନିକଟରେ ହୋଇଥିବା ଆବେଦନର ଶୁଣାଣି ହୋଇଛି। ଟିକାୟତପୁର ୱାର୍ଡ଼ମେମ୍ବର ବଳରାମ ମହାଳିକ ଏହି ଆବେଦନ କରିଥିଲେ। ଭାରତୀୟ ସମ୍ବିଧାନର ଧାରା ୨୨୬ ଓ ୨୨୭ ଅନୁଯାୟୀ ସେ କରିଥିବା ଆବେଦନରୁ ଜଣାପଡ଼େ ଯେ, ଆମ ଗାଁ, ଆମ ବିକାଶ ଯୋଜନାରେ କାର୍ୟ୍ୟକାରୀ ହେବାକୁଥିବା ପ୍ରକଳ୍ପ ଗ୍ରାମପଞ୍ଚାୟତ ଗାଇଡ଼ଲାଇନ ଅନୁଯାୟୀ ପଲ୍ଲୀସଭାରେ ଅନୁମୋଦିତ ହେବା ସହିତ ଭିଏଲଏଲଙ୍କ ଦ୍ୱାରା ସମ୍ପାଦିତ ହେବା ଉଚିତ। ପରନ୍ତୁ ତାଙ୍କ ୱାର୍ଡ଼ରେ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖେଳପଡ଼ିଆ ଉନ୍ନତିକରଣ କାର୍ୟ୍ୟ ନିୟମାନୁଯାୟୀ କରାନଯାଇ ଏକ ରାଜନୈତିକ ଦଳର ଲୋକଙ୍କ ଦ୍ୱାରା କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ପଞ୍ଚାୟତରାଜ ସଚିବ, ନିର୍ଦେଶକ, ମୟୂରଭଞ୍ଜ ଜିଲାପାଳ, ପିଡ଼ିଡ଼ିଆରଡ଼ିଏ, ଡ଼ିପିଓ, ଜିଲା ଯୋଜନା ଅଧିକାରୀ, ବଡ଼ସାହି ବିଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ସେ ପକ୍ଷ କରି ୱାର୍ଡ଼ମେମ୍ବର ଏହି ଆବେଦନ କରିଥିଲେ। ଆବେଦନର ବିଚାର ପୂର୍ବକ ଶୁଣାଣି କରି ମାନ୍ୟବର ନ୍ୟାୟାଳୟ ଏକ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ଆଦେଶ ଦେଇଛନ୍ତି। ଏହି ଏକମାସ ପର୍ୟ୍ୟନ୍ତ ସମ୍ପୃକ୍ତ ଉନ୍ନୟନ କାର୍ୟ୍ୟ ବନ୍ଦ ରଖିବା ପାଇଁ ମଧ୍ୟ ଉଲ୍ଲେଖ ରହିଛି।



