ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ଐତିହାସିକ ବିଶ୍ୱବିଦ୍ୟାଳୟ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବକୁ ଏଆଇଏସ୍ଏଫ ରାଜ୍ୟ ପରିଷଦ ବିରୋଧ କରିବା ସହ ଏହା ଏକ ହୀନମନ୍ୟତାର ପ୍ରତିଫଳନ ବୋଲି କୁହାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ମାତ୍ର ଏକ କୋଠା ବା ସାଧାରଣ ଶିକ୍ଷାନୁଷ୍ଠାନ ନୁହେଁ । ଏହା ଥିଲା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ । ବ୍ରିଟିଶ ପତାକାକୁ ପୋଡି ତକ୍ରାଳୀନ ଛାତ୍ରନେତା ଏହିଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ । ଶିକ୍ଷା, ସାହିତ୍ୟ, ସଂସ୍କୃତି, ରାଜନୀତି ଓ କଳାର ପାଣକେନ୍ଦ୍ର ଏହି ଶିକ୍ଷାନୁଷ୍ଠାନ । ଛାତ୍ର ଆନ୍ଦୋଳନ ପାଇଁ ଏହା ଏକ ପ୍ରେରଣାର ଅସରନ୍ତି ସ୍ରୋତ।
ଏଆଇଏସଏପ ପକ୍ଷରୁ କୁହାଯାଇଛି ଯେ, ସଗମ୍ର ଦେଶରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଶିକ୍ଷା ପାଇଁ ବଜେଟ ହ୍ରାସ୍, ଶିକ୍ଷକ ଅଭାବ, ଭିତ୍ତିଭୂମିର ଅଭାବ, ପ୍ରବେଶିକା ପରୀକ୍ଷାରେ ଦୁର୍ନୀତି, ଛାତ୍ର ସଂସଦ ନିର୍ବାଚନ ବନ୍ଦ ଓ ଛାତ୍ର ଆତ୍ମହତ୍ୟା ଆଦି ବୃଦ୍ଧି ପାଇବାରେ ଲାଗିଛି । ନିଜର ଓ ନିଜ ସରକାରର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନାମ ପରିବର୍ତ୍ତନ ଭଳି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ। ଏହା ପରିବର୍ତ୍ତେ ରେଭେନ୍ସା ଭଳି ଉତ୍କୃଷ୍ଟ ମାନର ନୂଆ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିପାରି ଥାଆନ୍ତେ।
ସ୍ୱାଧୀନତାର ପୂର୍ବବର୍ତ୍ତୀ ଓଡ଼ିଶାରେ ଶିକ୍ଷା ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଟିଇ ରେଭେନ୍ସାଙ୍କ ଅବଦାନର ପଟ୍ଟାନ୍ତର ନାହିଁ । ତାଙ୍କ ଦ୍ୱାରା ୧୯୬୮ରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ପ୍ରଥମେ ‘କଟକ କଲେଜ’ ନାମରେ ନାମିତ ଥିଲା । ପରବର୍ତ୍ତୀ ଅବସ୍ଥାରେ ୧୮୭୬ରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରସ୍ତାବ କ୍ରମେ ଏହାର ନାମ ‘ରେଭେନ୍ସା କଲେଜ’ ରଖାଯାଇଥିଲା । ଇତିହାସକୁ ବିକୃତ କରିବାର ଅପଚେଷ୍ଟାରୁ କ୍ଷାନ୍ତ ରହି ରେଭେନ୍ସାରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ଓ ଭିତ୍ତିଭୂମି ସୁଦୃଢ ଦିଗରେ ସରକାର ଧ୍ୟାନ ଦିଅନ୍ତୁ । ନଚେତ ଛାତ୍ର ଆକ୍ରୋଶକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ରୁହନ୍ତୁ ବୋଲି ଏଆଇଏସ୍ଏଫର ରାଜ୍ୟ ସଭାପତି ସଂଘମିତ୍ରା ଜେନା ଚେତାବନୀ ଦେଇଛନ୍ତି।



