କରୱର : ଯୁଦ୍ଧବିମାନବାହୀ ଜାହାଜ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ଅଗ୍ନିକାଣ୍ଡ ଘଟି ଜଣେ ନୌସେନା ଅଧିକାରୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ପୂର୍ବାହ୍ଣରେ କର୍ଣ୍ଣାଟକର କରୱର ବନ୍ଦରରେ ପ୍ରବେଶ ସମୟରେ ଜାହାଜର ଗୋଟିଏ କୋଠରିରେ ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ଆୟତ୍ତ କରିବାକୁ ଯାଇ ସମ୍ପୃକ୍ତ ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଡି.ଏସ୍ ଚୌହାଣ ପ୍ରଥମେ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ନୌବାହିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା; କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାହାଜରେ ଥିବା ନୌବାହିନୀ କର୍ମଚାରୀଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଅଗ୍ନିକାଣ୍ଡକୁ ଖୁବ୍ ଶୀଘ୍ର ନିୟନ୍ତ୍ରଣ କରାଯାଇପାରିଥିଲା। ଚୌହାଣ ହିଁ ନିଆଁ ଲିଭାଇବାର ନେତୃତ୍ବ ନେଉଥିଲେ। ଯୁବ କମାଣ୍ଡର ଚୌହାଣ ମାସକ ପୂର୍ବେ ହିଁ ବିବାହ କରିଥିଲେ। ଘରେ ଏବେ ପତ୍ନୀ ଓ ମା’ ଅଛନ୍ତି। ଦୁର୍ଘଟଣାରେ ଜାହାଜ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିବା ନୌବାହିନୀ ସୂତ୍ରରୁ ପ୍ରକାଶ। ଏହି ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିଲାବେଳେ ନୌବାହିନୀ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଛି। ଆଇଏନ୍ଏସ୍ ବିକ୍ରମାଦିତ୍ୟ ହେଉଛି ଭାରତୀୟ ନୌବାହିନୀର ସର୍ବବୃହତ୍ ଓ ଏକମାତ୍ର ଯୁଦ୍ଧବିମାନବାହୀ ଜାହାଜ।
Popular Categories



