ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମ୍ଏସ) ଚଳିତ ମାସ ୮ତାରିଖ ଠାରୁ ତାହାର ସମସ୍ତ ସେଣ୍ଟରରେ ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ଏବଂ ସ୍ପେଶାଲିଟି କ୍ଲିନିକଗୁଡିକରେ ତତ୍କ୍ଷଣାତ ଆସି ଚିକିତ୍ସା ସେବା ଲୋଡୁଥିବା ରୋଗୀଙ୍କର ପଞ୍ଜିକରଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଓପିଡି ଏବଂ ସ୍ପେଶାଲିଟି କ୍ଲିନିକଗୁଡିକରେ ପୂର୍ବରୁ ପଞ୍ଜିକରଣ କରିଥିବା ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।
ଓପିଡିଗୁଡିକରେ କୋଭିଡ ସଂକ୍ରମଣ ସମ୍ଭାବନାକୁ ହ୍ରାସକରିବା ଏବଂ ଆକ୍ରାନ୍ତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଉପଲବ୍ଧ ମାନବ ସମ୍ବଳ ଓ ଭିତ୍ତିଭୂମି ଯୋଗାଇଦେବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। କେବଳ ଯେଉଁମାନେ (ନୂତନ ଓ ତାହା ପରବର୍ତ୍ତୀ ସମୟରେ ପୁନଃ ଆସୁଥିବା) ପୂର୍ବରୁ ପଞ୍ଜିକରଣ କରିଥିବେ ସେମାନଙ୍କୁ ଓପିଡି ଏବଂ ସ୍ପେଶାଲିଟି କ୍ଲିନିକଗୁଡିକରେ ଚିକିତ୍ସା ଯୋଗାଇ ଦିଆଯିବ। ଏ ସଂପର୍କିତ ନିର୍ଦ୍ଦେଶନାମା ଏମ୍ସର ସମସ୍ତ ସେଣ୍ଟର ଏବଂ ସ୍ପେଶାଲିଟି କ୍ଲିନିକଗୁଡିକର ମୁଖ୍ୟମାନଙ୍କ ନିକଟକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ବିଭିନ୍ନ ବିଭାଗର ମୁଖ୍ୟମାନେ ଆଗାମୀ ଚାରିସପ୍ତାହ ପର୍ଯ୍ୟନ୍ତ ଦୈନିକ କେତେ ସଂଖ୍ୟାରେ ନୂଆ ଓ ପୁନଃ ଆସୁଥିବା ରୋଗୀଙ୍କର ପଞ୍ଜିକରଣ କରାଯିବ, ତାହା ଉପଲବ୍ଧ ଡାକ୍ତର ଏବଂ ମାନବସମ୍ବଳକୁ ଦେଖି ନିଷ୍ପତ୍ତି ନେବେ।
୮ରୁ ଏମ୍ସର ଓପିଡ଼ିରେ ରୋଗୀଦେଖା ଉପରେ କଟକଣା
Popular Categories



