ଲୌଡରହିଲ୍ (ଆମେରିକା) : ବିଶ୍ବକପ୍ରେ ବିଫଳ ଅଭିଯାନ ପରେ ଭାରତୀୟ ଦଳ ଶନିବାରଠାରୁ ଏକ ନୂତନ ସିଜିନ୍ ଆରମ୍ଭ କରିବାକୁ ଯାଉଛି। ଆମେରିକା ଓ ୱେଷ୍ଟଇଣ୍ଡିଜ୍ ମାଟିରେ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ମାସିକିଆ ଗସ୍ତରେ ଭାରତୀୟ ଦଳ ୩ଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଦିନିକିଆ ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଅନ୍ତର୍ଗତ ୨ଟି ଟେଷ୍ଟମ୍ୟାଚ୍ ଖେଳିବ। ଶନିବାର ଆମେରିକାର ଲୌଡରହିଲ୍ ସହରରେ ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ହେଉଛି ଟ୍ବେଣ୍ଟି-୨୦ ବିଶ୍ବ ଚମ୍ପିଆନ୍। ୫୦ ଓଭରର ବିଶ୍ବକପ୍ରେ ବିଫଳତା ପରେ ଆସନ୍ତାବର୍ଷ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଏହି ସିରିଜ୍ରୁ ହିଁ ୱେଷ୍ଟଇଣ୍ଡିଜ୍ ପ୍ରସ୍ତୁତି ଆରମ୍ଭ କରିବ। ଅନ୍ୟପକ୍ଷରେ ଉକ୍ତ ବିଶ୍ବକପ୍ ଲାଗି ଦଳ ଗଠନର ପ୍ରୟାସ ଏହି ସିରିଜ୍ରୁ ହିଁ ଭାରତ କରିବାକୁ ଯାଉଛି।
ଏହା ୱେଷ୍ଟଇଣ୍ଡିଜ୍ର ଘରୋଇ ମ୍ୟାଚ୍ ହୋଇଥିଲେ ହେଁ ଏହି ମ୍ୟାଚ୍ରେ ଭାରତୀୟ ଦଳକୁ ବହୁତ ସମର୍ଥନ ମିଳିବ। ଫ୍ଲୋରିଡା ବାସିନ୍ଦା ଭାରତୀୟ ବଂଶଜ ଟିମ୍ ଇଣ୍ଡିଆକୁ ସମର୍ଥନ କରିବାକୁ ଆସିବେ। ୨୦୧୦ରୁ ଏହି ଷ୍ଟାଡିୟମ୍ରେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯାଉଛି। ୩ ବର୍ଷ ତଳେ ଏଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିଲା; ଯାହା ବେଶ୍ ରୋମାଞ୍ଚକର ହୋଇଥିଲା। କେ.ଏଲ୍. ରାହୁଲ ୪୬ ବଲ୍ରୁ ଅପରାଜିତ ୧୧୦ ରନ୍ କରିଥିବା ବେଳେ ଇଣ୍ଡିଜ୍ ଓପ୍ନର ଏଭିନ୍ ଲୁଇସ୍ ୪୯ ବଲ୍ରୁ ଶତକ ମାରିଥିଲେ। ଭାରତ ୧ ରନ୍ରେ ଜିତିଥିଲା। ଏହି ସିରିଜ୍ରେ ମଧ୍ୟ ରାହୁଲ ସେପରି ଇନିଂସ ଖେଳିବାକୁ ଚାହିଁବେ। ଭାରତୀୟ ଦଳ ନିଶ୍ଚିତ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଅଭିଜ୍ଞତା ସହ ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍ରାଙ୍କ ପରି ମ୍ୟାଚ୍ ବିଜେତାଙ୍କ ଅନୁପସ୍ଥିତି ଅନୁଭବ କରିବ। କାର୍ଲୋସ ବ୍ରାଥ୍ୱେଟ୍ଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ ଦଳକୁ କୈରନ୍ ପୋଲାର୍ଡ ଓ ସୁନୀଲ ନାରାୟଣଙ୍କ ପରି ଟ୍ବେଣ୍ଟି୨୦ ବିଶେଷଜ୍ଞ ଫେରିଛନ୍ତି। ଦୀର୍ଘ ୨ ବର୍ଷ ପରେ ନାରାୟଣ ଟ୍ବେଣ୍ଟି୨୦ ଖେଳିବାକୁ ଯାଉଛନ୍ତି। କାନାଡ଼ାରେ ଗ୍ଲୋବାଲ ଟ୍ବେଣ୍ଟି୨୦ ଲିଗ୍ ଖେଳୁଥିବାରୁ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଟ୍ବେଣ୍ଟି୨୦ ସିରିଜ୍ ଖେଳିବେନାହିଁ। ତେବେ ଏହି ବାମହାତି ଦିନିକିଆ ସିରିଜ୍ ପାଇଁ ଦଳକୁ ଫେରିବେ। ଏହି ଗସ୍ତରେ ୩ଟିଯାକ ଫର୍ମାଟରେ ଭାରତ ଫେଭରିଟ୍। ତେେବ ୩ଟି ସିରିଜ୍ ମଧ୍ୟରୁ ଟ୍ବେଣ୍ଟି୨୦ରେ ୱେଷ୍ଟଇଣ୍ଡିଜ୍ ଦଳର ବିଜୟ ସମ୍ଭାବନା ଅଧିକ। େଟ୍ବଣ୍ଟି୨୦ରେ ଏଭିନ୍ ଲୁଇସ୍, ସିମ୍ରନ୍ ହେତ୍ମେୟର ଓ ନିକୋଲାସ୍ ପୁରନ୍ ଭଲ ବ୍ୟାଟ୍ସମ୍ୟାନ। ଲୁଇସ୍ଙ୍କ ସହ ଇଣ୍ଡିଜ ସୁନୀଲ ନାରାୟଣଙ୍କୁ ଇନିଂସ ଓପନ୍ କରିବାକୁ ପଠାଇପାରେ। ଆଣ୍ଠୁ ଆଘାତ ଯୋଗୁଁ ଆେନ୍ଦ୍ର ରସେଲ୍ ଟ୍ବେଣ୍ଟି୨୦ ସିରିଜ୍ ଖେଳିବେନାହିଁ; ଯାହା ଇଣ୍ଡିଜ ପାଇଁ ଶକ୍ତ ଧକ୍କା। ଭାରତ ଦୁଇ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଖେଳାଇପାରେ। ଖଲିଲ ଅହମ୍ମଦ, ଭୁବନେଶ୍ବର କୁମାର ଓ ଦୀପକ ଚହର ପେସ୍ ବୋଲିଂ ବିଭାଗ ସମ୍ଭାଳିବେ। ପରେ ଅବଶ୍ୟ ପେସ୍ ବୋଲର ନବଦୀପ ସୈନି ଓ ଯୁବ ଲେଗ୍ସ୍ପିନର ରାହୁଲ ଚହର ଖେଳିବାର ସୁଯୋଗ ପାଇପାରନ୍ତି। ଭାରତୀୟ ମଧ୍ୟକ୍ରମରେ ରାହୁଲଙ୍କ ସହ ଅଧିନାୟକ ବିରାଟ କୋହଲି, ଋଷଭ ପନ୍ତ୍ ଓ ମନୀଷ ପାଣ୍ଡେ ଖେଳିପାରନ୍ତି। ଗତ ବିଶ୍ବକପ୍ରେ ସୁଯୋଗ ନ ପାଇବା ପରେ ଦୁଇ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟର ସୀମିତ ଓଭର ଦଳକୁ ଫେରିଛନ୍ତି। ଦୁହଁିଙ୍କ ମଧ୍ୟରୁ ଜଣେ ଏହି ମ୍ୟାଚ୍ ଖେଳିବା ନିଶ୍ଚିତ। ଦିନିକିଆ ସିରିଜ୍ରେ ଉଭୟ ସୁଯୋଗ ପାଇପାରନ୍ତି। ଭାରତୀୟ ଦଳ ଉଭୟ ବିଭାଗରେ ଶକ୍ତିଶାଳୀ ଥିବା ବେଳେ ବୋଲିଂ ବିଭାଗରେ ୱେଷ୍ଟଇଣ୍ଡିଜ୍ ସାମାନ୍ୟ ଦୁର୍ବଳ ମନେହେଉଛି। ଏଣେ ବିଶ୍ବକପ୍ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମନୋମାଳିନ୍ୟ ଖବର ପ୍ରଚାର ହୋଇଥିବା ବେଳେ କୋହଲି ଏହାକୁ ଖଣ୍ଡନ କରିଛନ୍ତି। ଏବେ ଦେଖିବାକୁ ବାକିରହିଲା ଯେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଏହାର ପ୍ରଭାବ ଭାରତୀୟ ଦଳ ଉପରେ ପଡ଼ୁଛି କି ନାହିଁ।
ଭାରତ-ଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି -୨୦ ଆଜି
Popular Categories



