ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ନୂଆ ମୋଡ଼ ନେଇଛି। ଗୋଟିଏ ପଟେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପରେ ଏଚ.ଡି. କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି। ଅନ୍ୟପଟେ ଜେଡିଏସର କିଛି ବିଧାୟକ ନବଗଠିତ ବିଜେପି ସରକାରକୁ ସମର୍ଥନ କରିବାକୁ କୁମାରସ୍ବାମୀଙ୍କୁ ଚାପ ପକାଉଛନ୍ତି। ଏହି କାରଣରୁ ଜେଡିଏସ ମଧ୍ୟରେ ଫାଟ ଦେଖିବାକୁ ମିଳିଛି।
ଶନିବାର କୁମାରସ୍ବାମୀ ରହୁଥିବା ତାଜ୍ ୱେଷ୍ଟ ଏଣ୍ଡ ହୋଟେଲରେ ଜେଡିଏସ ବିଧାୟକମାନଙ୍କର ଏକ ବୈଠକ ବସିଥିଲା। ବୈଠକରେ ଦଳର ବିଧାୟକମାନେ ଦୁଇଭାଗ ହୋଇଯାଇଥିଲେ। ଗୋଟିଏ ଭାଗ ବିଧାୟକ ବିରୋଧୀ ଆସନରେ ବସିବାକୁ କହୁଥିବାବେଳେ ଆଉ ଦଳେ ବିଧାୟକ ବିଜେପିକୁ ସମର୍ଥନ ଦେବା ଲାଗି ଜିଦ୍ କରିଥିଲେ। ବିଜେପି ସହ ମେଣ୍ଟ କରି ହେଉ ଅଥବା ବାହ୍ୟ ସମର୍ଥନ ଦେବାକୁ ଏହି ବିଧାୟକମାନେ କୁମାରସ୍ବାମୀଙ୍କ ଉପରେ ଚାପ ପକାଇଥିଲେ।
ବୈଠକରେ ପରେ ପୂର୍ବତନ ମନ୍ତ୍ରୀ ଜି.ଟି. ଦେବେଗୌଡ଼ା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, କୁମାରସ୍ବାମୀଙ୍କ ଉପରେ ଆମେ ନିଷ୍ପତ୍ତି ଛାଡ଼ି ଦେଇଛୁ। ସେ ଏହା ଉପରେ ଯାହା ନିଷ୍ପତ୍ତି ନେବେ।
ତେବେ ଜେଡିଏସରେ ଏଭଳି ସ୍ଥିତି ଏବେ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ୩ଦିନ ତଳେ ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ପାଇଁ ବିଜେପିକୁ ଦାୟୀ କରୁଥିଲା। ବିଦ୍ରୋହୀ ବିଧାୟକଙ୍କୁ ବିଜେପି ସମର୍ଥନ କରୁଥିବାରୁ ଜେଡିଏସ କଡ଼ା ନିନ୍ଦା କରିଥିଲା। ବର୍ତ୍ତମାନ ଜେଡିଏସ ବିଧାୟକମାନଙ୍କ ମଧ୍ୟରେ ମତଭେଦ ଆଗାମୀ ଦିନରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବା ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।



