ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି(ଆପ୍)କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ନିକଟରେ ଏକ ଗଣ୍ଡଗୋଳ ମାମଲାରେ କୋର୍ଟ ଜଣେ ଆପ୍ ବିଧାୟକଙ୍କୁ ୩ମାସ ଜେଲ ଦଣ୍ଡାଦେଶ ଦେଇଥିବାବେଳେ ଗୁରୁବାର ରାଉଜ ଏଭିନ୍ୟୁ କୋର୍ଟ ଦଳର ଆଉଜଣେ ବିଧାୟକ ସୋମ ଦତ୍ତଙ୍କୁ ୬ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ମୁତାବକ, ୨୦୧୫ ଜାନୁୟାରୀରେ ସୋମ ଦତ୍ତ ଆବେଦନକାରୀ ସଞ୍ଜୀବ ରାଣାଙ୍କୁ ବେସ୍ବଲ ବ୍ୟାଟରେ ଆକ୍ରମଣ କରିଥିଲେ। ସେତେବେଳେ ସୋମ ଦତ୍ତ ବିଧାୟକ ନ ଥିଲେ। ସଞ୍ଜୀନ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସେ ନିଜ ଫ୍ଲାଟରେ ଥିବାବେଳେ ସୋମ ଦତ୍ତ ପ୍ରାୟ ୫୦ରୁ ୬୦ ଲୋକଙ୍କ ସହିତ ଆସି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ସେ ବାରମ୍ବାର ବେଲ୍ ବଜାଇଥିଲେ। ସୋମ ଦତ୍ତ କବାଟ ଖୋଲି ଏହାର ପ୍ରତିବାଦ କରିବାରୁ ସେ ତାଙ୍କୁ ବେସ୍ ବଲ ବ୍ୟାଟରେ ପିଟିଥିଲେ। ପରେ ସୋମ ଦତ୍ତଙ୍କ ସହିତ ଆସିଥିବା ଲୋକମାନେ ତାଙ୍କୁ ରାସ୍ତାକୁ ଟାଣି ନେଇ ବିଧା ଗୋଇଠା ମାରିଥିଲେ। ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କ ଭାଇ ପୁଲିସକୁ ଡକାଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲା। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୂର୍ବରୁ ଏହି ମାମଲାର ଶୁଣାଣି ବେଳେ କୋର୍ଟ ଅଭିଯୁକ୍ତ ବିଧାୟକ ସୋମ ଦତ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗୁରୁବାର ମାମଲାର ଶୁଣାଣି ବେଳେ କୋର୍ଟ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଦେଇଛନ୍ତି।



