www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ହସ୍ତ​​‌କ୍ଷେ‌ପ ଲୋଡ଼ିଲେ ନବୀନ ; ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ତୁରନ୍ତ ବନ୍ଦ କରାଯାଉ

ଭୁବନେଶ୍ବର :  ସୁପ୍ରିମକୋର୍ଟରେ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ନିମନ୍ତେ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ମର୍ମରେ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଏଥିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ଗତିରେ ଚାଲିଛି। ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ପୂର୍ବରୁ ସେ ୪ଥର ଚିଠି ଲେଖି ଅବଗତ କରାଇଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ଏ ଦାବି ପ୍ରତି ଉପେକ୍ଷା କରାଯାଇଛି।
ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଏହା ଦ୍ବାରା ପ୍ରଭାବିତ ହେବାକୁ ଥିବା ମାଲକାନଗିରି ଜିଲାରେ ବିନା ଜନଶୁଣାଣିରେ ୨୦୦୫ ଅକ୍ଟୋବର ୨୫ରେ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରି ଦିଆଯାଇଥିଲା। ଏହାକୁ
ଦୃଷ୍ଟିରେ ରଖି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ। ତତ୍କାଳୀନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନିର୍ମାଣ କାର୍ଯ୍ୟ ବନ୍ଦ ଉପରେ ମନ୍ତ୍ରାଳୟ ପକ୍ଷରୁ
ସ୍ଥଗିତାଦେଶ ଜାରି କରାଯାଇଥିଲା। ପ୍ରଥମେ ୬ ମାସ ଓ ପରେ ବର୍ଷିକିଆ ସ୍ଥଗିତାଦେଶ ଜାରି କରାଯିବା ପରେ ପୁନର୍ବାର ଏହାକୁ ଦୁଇ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା।
ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଥରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଗଲେ ଏହାର ଡିଜାଇନ ଆଉ ପରିବର୍ତ୍ତନ କରିବା ସମ୍ଭବ ହେବ ନାହିଁ। ଏ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଜନଶୁଣାଣି କରାଯାଇ ନାହିଁ। ୨୦୧୮ ଜୁନ ୨ରେ ପୂର୍ବତନ କେନ୍ଦ୍ର ପରିବେଶ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ପୋଲାଭରମ ନିର୍ମାଣ ବନ୍ଦ ପାଇଁ ଅନୁରୋଧ କରାଯାଇଥିଲା। ଏହା ପରେ ନିର୍ମାଣ କାର୍ଯ୍ୟ ବନ୍ଦ ଉପରେ ସ୍ଥଗିତାଦେଶ ‌ଆଉ ବର୍ଷେ ‌୨୦୧୮ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ଓଡ଼ିଶାର ଦାବି ଓ ଅନୁରୋଧକୁ ଉପେକ୍ଷା କରି ସ୍ଥଗିତାଦେଶ ଆହୁରି ଦୁଇ ବର୍ଷ ବଢ଼ାଇ ଦିଆଯାଇଛି।
ଯଦି ପୋଲାଭରମ ନିର୍ମାଣ କାର୍ଯ୍ୟ ଏବେଠୁ ବନ୍ଦ କରା ନଯାଏ ତେବେ ମାଲକାନଗିରି ଜିଲାର ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ିବେ। ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହେବ, ଲୋକେ ବିସ୍ଥାପିତ ହେବେ। ଆଦିବାସୀଙ୍କ ପାରମ୍ପରିକ ଜୀବିକା ଉଜୁଡ଼ିଯିବ। ଉର୍ବର କୃଷି ଜମି ଜଳପ୍ଳାବିତ ହେବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଯଦି ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାର ଫଇସଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଏ ତେବେ ଉପରୋକ୍ତ ସମସ୍ୟାକୁ ସହଜରେ ଏଡ଼ାଇଦେବା ସମ୍ଭବ ହେବ। ଓଡ଼ିଶା, ​​‌ତେଲଙ୍ଗାନା ଓ ଛତିଶଗଡ଼ ଅଞ୍ଚଳ ଜଳମଗ୍ନ ନକରି ଗୋଦାବରୀ ଜଳ ବିବାଦ ଟ୍ରାଇବୁନାଲ ରାୟ ଅନୁସାରେ ପ୍ରକଳ୍ପର ନିର୍ମାଣ ଢ଼ାଞ୍ଚା ପରିବର୍ତ୍ତନ କରାଯାଇପାରିବ। ଯଦି ମାମଲାର ସମାଧାନ ପୂର୍ବରୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦିଆଯାଏ ତେବେ ଏହା ଓଡ଼ିଶା ଓ ଏହାର ଜନସାଧାରଣଙ୍କ ସ୍ବାର୍ଥରେ ସ୍ଥାୟୀ କ୍ଷତ ସୃଷ୍ଟି କରିବ। ଏ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବା ସହିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories