ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଆଲୋଚନା ଜୋର ଧରିଥିବାବେଳେ ନରେନ୍ଦ୍ର ମୋଦୀ ସରକାର ଖୁବଶୀଘ୍ର ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶ୍ଵାନ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରେ ରହି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାସନ ଦୋକାନରୁ ନିଜ ସାମଗ୍ରୀ ପାଇପାରିବେ। ହିତାଧିକାରୀମାନେ ନିଜ ଇଚ୍ଛା ମୁତାବକ ରାସନ ଦୋକାନ ଚୟନ କରିପାରିବେ। ଏହା ହିତାଧିକାରୀମାନଙ୍କୁ ସ୍ୱାଧୀନତା ଦେବ। କାରଣ ଜଣେ ହିତାଧିକାରୀ ଗୋଟିଏ ରାସନ ଦୋକାନ ଉପରେ ନିର୍ଭର କରି ରହିବ ନାହିଁ।
ନୂଆ ବ୍ୟବସ୍ଥାରେ ଦେଶ ବ୍ୟାପୀ ଗୋଟିଏ ରାସନ କାର୍ଡ ପ୍ରଚଳିତ ହେବ। ଆଧାର କାର୍ଡ ଭଳି ପ୍ରତି ରାସନ କାର୍ଡକୁ ଏକ ସ୍ବତନ୍ତ୍ର ପରିଚୟ ନମ୍ବର ଦିଆଯିବ। ଫଳରେ ନକଲି ରାସନ କାର୍ଡ ପ୍ରସ୍ତୁତକର୍ତ୍ତା ଧରାପଡ଼ିବା ସହିତ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇପାରିବ। କେନ୍ଦ୍ରମନ୍ତ୍ରୀ ପାଶ୍ଵାନ ଗତ ଗୁରୁବାର ରାଜ୍ୟଗୁଡ଼ିକର ଖାଦ୍ୟ ସଚିବ ଏବଂ ସରକାରୀ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗଦେଇ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାର ସମନ୍ବିତ ପରିଚାଳନା ଅଧୀନରେ ରାସନ କାର୍ଡର ଏକ କେନ୍ଦ୍ରୀୟ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।



