www.samajalive.in
Tuesday, December 9, 2025
17.1 C
Bhubaneswar

ସାମିଙ୍କ ହ୍ୟାଟ୍ରିକ୍ ; ଭାରତ ୧୧ ରନ୍‌ରେ ବିଜୟୀ

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ରେ ପ୍ରଥମଥର ଭାରତୀୟ ଦଳକୁ ଜିତିବା ଲାଗି ସଂଘର୍ଷ କରିବାକୁ ପଡ଼ିଛି। ​ତେବେ ମହମ୍ମଦ ସାମିଙ୍କ ହ୍ୟାଟ୍ରିକ୍ ବଳରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଶନିବାର ଭାରତ ୧୧ ରନ୍‌ରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟ୍‌ସମ୍ୟାନ୍ ମାତ୍ର ୨୨୪ ରନ୍ ଛିଡ଼ା କରିଥିଲେ ହେଁ ଶେଷ ଓଭରରେ ମହମ୍ମଦ ସାମି ହ୍ୟାଟ୍ରିକ୍ ନେବା ସହ ଅନ୍ୟ ସମସ୍ତ ବୋଲର ଭଲ ପ୍ରଦର୍ଶନ କରିବାରୁ ଭାରତ ଏହି ମ୍ୟାଚ୍ ଜିତିନେଇଛି।
ଅଧିନାୟକ ବିରାଟ କୋହଲି ଓ କେଦାର ଯାଦବ ଅର୍ଦ୍ଧଶତକ ମାରିଥିଲେ ହେଁ ଆଫ୍‌ଗାନିସ୍ତାନର ସ୍ପିନର ଚମତ୍କାର ବୋଲିଂକରି ନିୟମିତ ବ୍ୟବଧାନରେ ୱିକେଟ ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୨୨୪ ରନ୍ କରିଥିଲା। ଆଫ୍‌ଗାନିସ୍ତାନର ବ୍ୟାଟ୍‌ସମ୍ୟାନ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ୪୯.୫ ଓଭରରେ ୨୧୩ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ୯ ପଏଣ୍ଟ ସହ ଭାରତ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଆଫ୍‌ଗାନିସ୍ତାନ ୬ଷ୍ଠ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି।
୨୨୫ ରନ୍ ଲକ୍ଷ୍ୟରେ ଆଫ୍‌ଗାନିସ୍ତାନ ଇନିଂସ ଆରମ୍ଭ କରିବା ପରେ ଏହାର ଓପ୍‌ନିଂ ଯୋଡ଼ି ୨୦ ରନ୍ କରିଥିଲେ। ହଜ୍ରତୁଲ୍ଲା ଜାଜାଇ ୧୦ ରନ୍‌କରି ବିଦାୟ ନେଇଥିଲେ। ପରେ ଅଧିନାୟକ ଗୁଲ୍‌ବାଦିନ ନାଇବ୍ ଓ ରହମତ୍‌ ଶାହା ୪୪ ରନ୍ ଯୋଗ କରିଥିଲେ। ଗୁଲ୍‌ବାଦିନ୍ ୪୨ ବଲ୍‌ରୁ ୨ଟି ଚୌକା ସହ ୨୭ ରନ୍‌କରି ଆଉଟ ହୋଇ ଯାଇଥିଲେ। ରହ୍‌ମତ ଶାହା ଓ ହସ୍‌ମତୁଲ୍ଲା ସାହିଦି ସ୍କୋର୍‌କୁ ୧୦୬ ରନ୍‌ରେ ପହଞ୍ଚାଇବା ପରେ ଯଶପ୍ରୀତ୍‌ ବୁମ୍‌ରା ଏକ ଓଭରରେ ଉଭୟଙ୍କୁ ଆଉଟ କରି ଦେଇଥିଲେ। ରହ୍‌ମତ ୬୩ ବଲ୍‌ରୁ ୩ଟି ଚୌକା ସହ ୩୬ ଏବଂ ସାହିଦି ୪୫ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌ କରିଥିଲେ। ପୂର୍ବତନ ଅଧିନାୟକ ଅସ୍‌ଗର ଆଫ୍‌ଗାନ ୮ ରନ୍‌କରି ବିଦାୟ ନେଇଥିଲେ। ନଜିବୁଲ୍ଲା ଜାଦ୍ରାନ୍ ୨୩ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌କରି ଆଉଟ ହୋଇଥିଲେ। ରସିଦ୍ ଖାଁ କିଛି ଭଲ ସଟ୍ ଖେଳିଥିଲେ ହେଁ ୧୪ ରନ୍‌କରି ବିଦାୟ ନେଇଥିଲେ। ପରେ ମହମ୍ମଦ ନବି ଏକା ଲଢ଼େଇ କରିଥିଲେ। ଶେଷ ଓଭରରେ ୧୬ ରନ୍ ଆବଶ୍ୟକ ଥିବା ବେଳେ ୩ୟ ବଲ୍‌ରେ ନବି ଆଉଟ ହୋଇ ଯାଇଥିଲେ। ୫୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ନବି ଲଢ଼ୁଆ ୫୨ ରନ୍ କରିଥିଲେ। ଶେଷ ଓଭରର ୩ୟ, ୪ର୍ଥ ଓ ୫ମ ବଲ୍‌ରେ ନବି, ଆଫ୍‌ତାବ ଆଲମ୍ ଓ ମୁଜିବ୍‌ ଉର୍ ରେହ୍‌ମାନଙ୍କୁ ଆଉଟ କରି ମହମ୍ମଦ ସାମି ହ୍ୟାଟ୍ରିକ୍ ପୂରଣ କରିଥିଲେ। ଚେତନ ଶର୍ମା (୧୯୮୭)ଙ୍କ ପରେ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ନେବାରେ ମହମ୍ମଦ ସାମି ୨ୟ ଭାରତୀୟ ବୋଲର। ସାମି ୪ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମ୍‌ରା, ୟୁଜବେନ୍ଦ୍ର ଚହଲ ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଯଶପ୍ରୀତ ବୁମ୍‌ରା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲା।
ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଭାରତୀୟ ଓପ୍‌ନର ଧିମା ଗତିରେ ଇନିଂସ ଆରମ୍ଭ କରିଥିବା ବେଳେ ଅଫ୍‌ସ୍ପିନର ମୁଜିବ୍ ଉର୍ ରେହ୍‌ମାନ ଏକ ଚମତ୍କାର ବଲ୍‌ରେ ୨ଟି ଶତକ ମାରିଥିବା ରୋହିତ ଶର୍ମା (୧)ଙ୍କୁ ବୋଲ୍‌ଡ କରିଥିଲେ। ପରେ ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ଜଗିରଖି ଖେଳିଥିବା ବେଳେ ବିରାଟ କୋହଲି କ୍ରିଜ୍‌କୁ ଆସିବା ମାତ୍ରେ ଷ୍ଟ୍ରୋକ୍ ଖେଳିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୧୦ ଓଭରରେ ୫୭ ରନ୍ ଯୋଗ କରିଥିଲେ। ରିର୍ଭସ ସ୍ପିପ୍ ମାରି ୱିକେଟ ଫିଙ୍ଗିବା ପୂର୍ବରୁ ରାହୁଲ ୫୩ ବଲ୍‌ରୁ ୨ଟି ଚୌକା ସହ ୩୦ ରନ୍ କରିଥିଲେ। ବିଜୟ ଶଙ୍କର ଓ ଅଧିନାୟକ ବିରାଟ କୋହଲି ୩ୟ ୱିକେଟ ପାଇଁ ୧୨ ଓଭରରୁ ୫୮ ରନ୍ ଯୋଡ଼ିଥିଲେ। ୨୬ ଓଭରରେ ଭାରତ ୨ ୱିକେଟରେ ୧୨୨ ରନ୍ କରିଥିବା ବେଳେ ଏହା ଭଲ ସ୍କୋର୍‌ରେ ପହଞ୍ଚିବ ବୋଲି ଆଶା କରା ଯାଉଥିଲା। ତେବେ ପରବର୍ତ୍ତୀ ୨୪ ଓଭରରୁ ଭାରତ ଆଉ ମାତ୍ର ୧୦୨ ରନ୍ ଯୋଡ଼ି ୬ଟି ୱିକେଟ ହରାଇଥିଲା। ଶଙ୍କର ୪୧ ବଲ୍‌ରୁ ୨ଟି ଚୌକା ସହ ୨୯ ରନ୍ କରିଥିଲେ। ୪ ଓଭର ପରେ ବିରାଟ କୋହଲି ବିଦାୟ ନେଇଥିଲେ। ସେ ୬୩ ବଲ୍‌ରୁ ୫ଟି ଚୌକା ସହ ୬୭ ରନ୍ କରିଥିଲେ। କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନି ୧୪ ଓଭର ବ୍ୟାଟିଂ କରିଥିଲେ ହେଁ ମାତ୍ର ୫୭ ରନ୍ ଯୋଡ଼ିଥିଲେ। ଧୋନି ୫୨ ବଲ୍‌ରୁ ୩ଟି ଚୌକା ସହ ମାତ୍ର ୨୮ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୭ ଓ ମହମ୍ମଦ ସାମି ୧ ରନ୍ କରିଥିଲେ। କେଦାର ଯାଦବ ୬୮ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୨ ରନ୍ କରିଥିଲେ। ଗୁଲ୍‌ବାଦିନ୍ ନାଇବ୍ ଓ ମହମ୍ମଦ ନବି ୨ଟି ଲେଖାଏଁ ୱିକେଟ ପାଇଥିଲେ। ଆଫ୍‌ଗାନିସ୍ତାନର ୩ ସ୍ପିନର ନବି, ରସିଦ୍ ଖାଁ ଓ ମୁଜିବ୍ ମିଳିତ ଭାବେ ୨୯ ଓଭର ବୋଲିଂକରି ୯୭ ରନ୍‌ ଦେଇ ୪ଟି ୱିକେଟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories