ହିନ୍ଦୁଶାସ୍ତ୍ର ଅନୁସାରେ ପୂଜା କରିବାର କିଛି ବିଶେଷ ବିଧି ରହିଛି। ବିଧି ଅନୁଯାୟୀ ପୂଜା କଲେ ଭଗବାନ ପ୍ରସନ୍ନ ହୋଇଥାଆନ୍ତି, ଯଦ୍ବାରା ଆମକୁ ସୁଫଳ ମିଳିଥାଏ। ନଚେତ୍ ଭୁଲ୍ ବିଧିରେ ପୂଜା କରିବା ଦ୍ବାରା ଆମକୁ କୁପରିଣାମ ଭୋଗିବାକୁ ପଡ଼ିଥାଏ। ପୂଜାରେ ବ୍ୟବହୃତ ହେଉଥିବା ମୁଖ୍ୟ ସାମଗ୍ରୀ ହେଉଛି ଫୁଲ। ତେବେ ଈଶ୍ୱରଙ୍କୁ ଫୁଲ ଅର୍ପଣ କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଚାଲନ୍ତୁ ଜାଣିବା ପୂଜାରେ ଭଗବାନଙ୍କୁ ଫୁଲ ଅର୍ପଣ କରିବା ସୟମରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ –
ସର୍ବଦା ଈଶ୍ୱରଙ୍କ ପାଦ ତଳେ ଫୁଲ ଅର୍ପଣ କରିବା ଉଚିତ। ଏହାଦ୍ୱାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି।
ମନ୍ଦିରରେ ହେଉ କିମ୍ବା ଘରେ ପୂଜା କରିବା ପୂର୍ବରୁ ଫୁଲକୁ ଭଲଭାବେ ଧୋଇବା ଦରକାର।
ଦେବାଦେବୀଙ୍କୁ ଭିନ୍ନ ଭିନ୍ନ ଫୁଲ ଅର୍ପଣ କରିବାର ଅଲଗା ଅଲଗା ମହତ୍ତ୍ବ ରହିଛି। ଯେଉଁ ଫୁଲକୁ ଈଶ୍ବରଙ୍କୁ ଅର୍ପଣ କରିବାକୁ ବର୍ଜନ କରାଯାଇଥାଏ ସେହି ଫୁଲକୁ କଦାପି ଅର୍ପଣ କରନ୍ତୁ ନାହିଁ।
ପୂଜା କରିବା ପୂର୍ବରୁ ମନ୍ଦିରରେ ଅର୍ପଣ କରାଯାଇଥିବା ଫୁଲକୁ ସାବଧାନତା ପୂର୍ବକ କାଢ଼ିବା ଉଚିତ। ଏହି ବାସି ଫୁଲକୁ ଅଲଗା ରଖିବା ସହିତ ଏଥିରେ ଯେମିତି କାହାର ଗୋଡ଼ ନବାଜେ ସେଥି ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଭଗବାନଙ୍କୁ ଫୁଲ ଅର୍ପଣ କରିବା ପୂର୍ବରୁ ଭୁଲରେ ମଧ୍ୟ ଶୁଙ୍ଘିବା ଉଚିତ ନୁହେଁ।
ଭଗବାନଙ୍କୁ ଅର୍ପଣ କରାଯାଇଥିବା କିଛି ଫୁଲ ନିଜ ପାଖରେ ରଖିଲେ ଶୁଭ ହୋଇଥାଏ।ଏଥିରୁ ସକରାତ୍ମକ ଶକ୍ତି ମିଳିଥାଏ।
ପୁରୁଣା ବା ବାସି ଫୁଲକୁ ଅଳିଆ ଗଦାରେ ପକାଇବା ଆଦୌ ଉଚିତ ନୁହେଁ। ଏହି ଫୁଲକୁ ଖତ ଭାବେ ବ୍ୟବହାର କରିପାରିବେ କିମ୍ବା କୌଣସି ନଦୀରେ ଭସାଇଦେବେ।
ଭଗବାନଙ୍କୁ ସବୁବେଳେ ସତେଜ ଫୁଲ ଅର୍ପଣ କରିବା ଉଚିତ।



