ନୂଆଦିଲ୍ଲୀ: ବିଜେପି କ୍ଷମତାକୁ ଆସିଲେ ଆତଙ୍କବାଦ ପାଇଁ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିବ। ଆତଙ୍କବାଦର ଶେଷ ପାଇଁ ପଦକ୍ଷେପ ନେବ। ସେହିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରାମ ମନ୍ଦିର ନିର୍ମାଣ କରାଯିବ। ସେହିଭଳି ଗ୍ରାମୀଣ ବିକାଶ ପାଇଁ ଦୃଢ଼ ପଦକ୍ଷେପ ନିଆଯିବ। ବିଜେପି ଏହାର ସଙ୍କଳ୍ପ ପତ୍ରରେ ଦେଶବାସୀଙ୍କ ପାଇଁ ଏଭଳି ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ରଖିଛି। ସଙ୍କଳ୍ପ ପତ୍ର ପ୍ରସ୍ତୁତି କମିଟି ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶବାସୀଙ୍କ ମତାମତକୁ ବିଚାର କରି ଇସ୍ତାହାର ପ୍ରସ୍ତୁତ ହୋଇଛି। ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ମନକଥା ଜାରିବାକୁ ଚେଷ୍ଟା କରାଯାଇଛି। ଏହି ସଙ୍କଳ୍ପ ପତ୍ର ୧୩୦ କୋଟି ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବ ବୋଲି ରାଜନାଥ କହିଛନ୍ତି।
ବିଜେପି ଇସ୍ତାହାରରେ ପ୍ରମୁଖ ଘୋଷଣା:-
– ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ ନୀତି ଅପଣାଯିବ
– ଭାରତକୁ ଅନୁପ୍ରବେଶରେ ସମ୍ପୂର୍ଣ୍ଣ ରୋକ୍ ଲାଗିବ
– ସିଟିଜେନ୍ଶିପ ବିଲ୍ ପାସ୍ କରାଯାଇ ଲାଗୁ କରାଯିବ, ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ
– ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଉଦ୍ୟମ କରାଯିବ
– ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରାଯିବ
– ଗ୍ରାମୀଣ ବିକାଶ ପାଇଁ ୫ବର୍ଷରେ ୨୫ ଲକ୍ଷ କୋଟି ଖର୍ଚ୍ଚ ହେବ
– କୃଷକଙ୍କୁ ପିଏମ୍ କିଷାନ ନିଧି ସହାୟତା ଚାଲୁ ରହିବ
– ସବୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ସହାୟତା ମିଳିବ
– କ୍ଷୁଦ୍ର ଚାଷୀଙ୍କୁ ପେନସନ୍ ସୁବିଧା ଦିଆଯିବ
– ଉଦ୍ୟୋଗୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ କରାଯିବ
– ଦେଶର ଛୋଟ ଦୋକାନୀଙ୍କୁ ପେନସନ ସୁବିଧା
– ଦେଶର ସବୁ ନିର୍ବାଚନ ଏକାସାଙ୍ଗରେ କରାଯିବ
– କେନ୍ଦ୍ର-ରାଜ୍ୟ ସମ୍ପର୍କ ଅଧିକ ମଜଭୁତ କରାଯିବ
– ଲ୍ୟାଣ୍ଡ ରେକର୍ଡର ଡିଜିଟାଇଜେଶନ କରାଯିବ
– ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
– ସବୁ ଗରିବ ପରିବାରକୁ ମାଗଣା ଏଲପିଜି ସଂଯୋଗ
– ଜାତୀୟ ରାଜପଥ ଦୈର୍ଘ୍ୟ ଦୁଇଗୁଣା କରାଯିବ
– ଦେଶରେ ଆଉ ୭୫ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ
– ପ୍ରତି ବ୍ୟକ୍ତିଙ୍କୁ ୫ କିଲୋମିଟର ଦୂରତାରେ ବ୍ୟାଙ୍କ ସେବା ମିଳିବ



