ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି କନିଷ୍କ କଟାରିଆ। ପ୍ରଥମ ପ୍ରୟାସରେ ସେ ଏହି ସଫଳତା ହାସଲ କରିଛନ୍ତି। ତେବେ ଏଥିପାଇଁ ତାଙ୍କୁ ୧ କୋଟି ପ୍ୟାକେଜ ଦରମାର ଚାକିରି ମଧ୍ୟ ଛାଡ଼ିବାକୁ ପଡ଼ିଛି। ଏହାର କାରଣ ହେଉଛି ଦେଶା ସେବା। ଦେଶର ବିକାଶ ପାଇଁ କିଛି କରିବାକୁ ସେ ଚାହୁଁଥିଲେ। ତେଣୁ ଚାକିରି ଛାଡ଼ି ସେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ ବୋଲି କନିଷ୍କ ଗଣମାଧ୍ୟମକୁ କହିଛନ୍ତି।
କନିଷ୍କ କୁହନ୍ତି, ଭାରତର ବିକାଶରେ ଏକ ଅଂଶ ହେବାକୁ ସେ ଚାହୁଁଥିଲେ। ଛୋଟବେଳୁ ସେ ଦେଖି ଆସୁଛନ୍ତି ଯେ ତାଙ୍କ ବାପା ଏବଂ ଦାଦା ବରିଷ୍ଠ ଅଧିକାରୀ ପଦବୀରେ ରହି ଦେଶ ପାଇଁ ସେବା କରୁଛନ୍ତି। ତେଣୁ ସେ ବି ସେମାନଙ୍କ ପରି ହେବାକୁ ଚାହୁଁଥିଲେ, ଯାହା ତାଙ୍କୁ ସିଭିଲ ସର୍ଭିସ ପରୀକ୍ଷା ଦେବା ଲାଗି ପ୍ରେରିତ କରିଥିଲା। ତେଣୁ ସେ ଦକ୍ଷିଣ କୋରିଆର ବହୁରାଷ୍ଟ୍ରୀୟ କମ୍ପାନୀ ସାମସଙ୍ଗରେ କରୁଥିବା ଚାକିରି ଛାଡ଼ିଦେଇଥିଲେ। ୧ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ତାଙ୍କୁ ଭାରତ ଫେରିବାକୁ ରୋକିପାରି ନ ଥିଲା। ପରିବାର ଲୋକେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ୟୁପିଏସ୍ସି ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ତାଙ୍କ ପିଲାବେଳର ସ୍ବପ୍ନ ପୂରଣ ହୋଇଥିଲା ବୋଲି କନିଷ୍କ କହିଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନ ନିବାସୀ କନିଷ୍କଙ୍କ ବାପା ସାଂୱର ମଲ ବର୍ମା ମଧ୍ୟ ଜଣେ ଆଇଏଏସ ଅଧିକାରୀ। ସେ ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗର ନିର୍ଦେଶକ ଅଛନ୍ତି। ତାଙ୍କ ଦାଦା କେ.ସି. ବର୍ମା ଜୟରପୁରରେ ଡିଭିଜନାଲ କମିଶନର ଅଛନ୍ତି।



