ବାମନ ପୁରାଣର ଏହି ପ୍ରସଙ୍ଗ। ଏକଦା ମହାତେଜସ୍ବୀ ପ୍ରହ୍ଲାଦ, ଋଷି ଚ୍ୟବନଙ୍କୁ କହିଥିଲେ- ମୁନିବର! ଆପଣ ପୃଥ୍ବୀଲୋକର ଶ୍ରେଷ୍ଠ ଋଷିମାନଙ୍କ ମଧ୍ୟରୁ ଅନ୍ୟତମ। ମୋର ପରମ ସୌଭାଗ୍ୟ ଯେ ମୁଁ ଆପଣଙ୍କ ଦର୍ଶନ ଲାଭରେ ସମର୍ଥ ହେଲି। ପୃଥ୍ବୀ ଲୋକର କୌଣସି ଶ୍ରେଷ୍ଠ ତୀର୍ଥ ପରିଦର୍ଶନର ଆକାଙ୍କ୍ଷା ମନ ଭିତରେ ରହିଛି। ମୋତେ ସେ ବିଷୟରେ ଆପଣ ମାର୍ଗଦର୍ଶନ ଦିଅନ୍ତୁ। ଋଷି ଚ୍ୟବନ ପ୍ରହ୍ଲାଦଙ୍କୁ ନୈମିଷାରଣ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଦୈତ୍ୟରାଜ ପ୍ରହ୍ଲାଦ ଦାନବମାନଙ୍କ ସହିତ ସେଠାକୁ ଯାତ୍ରା କରିଥିଲେ। ତୀର୍ଥ ସ୍ନାନ ପରେ ପ୍ରହ୍ଲାଦ ବନପ୍ରଦେଶରେ ଘୂରିବୁଲି ଏହାର ଶୋଭା ସନ୍ଦର୍ଶନ କରୁଥିଲାବେଳେ ଅକସ୍ମାତ୍ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଥିଲେ- କୃଷ୍ଣ ମୃଗଚର୍ମ ଧାରଣ କରିଥିବା, ଜଟାଜୂଟଧାରୀ ଦୁଇ ମୁନି ତପସ୍ୟାରେ ବସିଛନ୍ତି। ତେବେ ଯେଉଁ ବିଶାଳକାୟ ଶାଳବୃକ୍ଷ ତଳେ ସେମାନେ ତପସ୍ୟାରତ ସେହି ବୃକ୍ଷ ଅନେକ ଦିବ୍ୟାସ୍ତ୍ର (ବାଣ) ଦ୍ବାରା ପୂର୍ଣ୍ଣ ଭାବରେ ଆଚ୍ଛାଦିତ ଥିଲା। ମୁନି ଦ୍ବୟଙ୍କର ପୃଷ୍ଠଦେଶରେ ମଧ୍ୟ ଦୁଇ ଦିବ୍ୟଧନୁ, ଅକ୍ଷୟ ତୂଣୀର ଥୁଆ ହୋଇଥିଲା। ପ୍ରହ୍ଲାଦ ଚକିତ ହୋଇ ପଚାରିଥିଲେ- ଦୁହିଁଙ୍କୁ ଦେଖିଲେ ମନେ ହେଉଛି ଦାମ୍ଭିକତାର ସହ ଧର୍ମ ବିନାଶକ କାର୍ଯ୍ୟ କରୁଛନ୍ତି। ଏକ ପକ୍ଷରେ ଜଟାଜୂଟଧାରୀ, ଭାର। ଅପର ପକ୍ଷରେ ଶ୍ରେଷ୍ଠ ଅସ୍ତ୍ର ସମୂହ ରଖିଛନ୍ତି। ଏହା ତ ବଡ଼ ବିଚିତ୍ର କଥା! ତପସ୍ବୀ କହିଥିଲେ- ଦୈତ୍ୟରାଜ! ସାମର୍ଥ୍ୟବାନ ବ୍ୟକ୍ତି ଯାହା କିଛି ବି କାର୍ଯ୍ୟ କରିଥାନ୍ତି ତାହା ତାଙ୍କୁ ଶୋଭା ପାଇଥାଏ। ଏହାକୁ ଦାମ୍ଭିକତାପୂର୍ଣ୍ଣ ଭକ୍ତି ବୋଲି ଭାବି ପ୍ରହ୍ଲାଦ ପ୍ରତିଜ୍ଞା କଲେ ନିଜକୁ ସାମର୍ଥ୍ୟବାନ୍ କହୁଥିବା ଦୁହିଁଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କର ଦର୍ପଚୂର୍ଣ୍ଣ କରିବେ। ବିଡ଼ମ୍ବନା ଏହା ଥିଲା ଯେ ‘ଲୋକପତି- ନାରାୟଣ’ (ମୁନିଦ୍ବୟ)ଙ୍କ ଦ୍ବାରା ପ୍ରହ୍ଲାଦ ପରାଜିତ ହୋଇ ପଛଘୁଞ୍ଚା ଦେଇଥିଲେ। ନିରାଶ ହୋଇ ବିଷ୍ଣୁଙ୍କ ଶରଣ ନେଇଥିଲେ। ବିଷ୍ଣୁ ଭଗବାନ କହିଥିଲେ- ପ୍ରହ୍ଲାଦ! ନାରାୟଣଙ୍କୁ ତୁମେ ପରାସ୍ତ କରିପାରିବନି, ସେ ଅଜେୟ। ସକଳ ଦେବତା ଓ ରାକ୍ଷସମାନଙ୍କ ଦ୍ବାରା ବି ଅଜେୟ।’ ପ୍ରହ୍ଲାଦ ନମ୍ରଭାବରେ କହିଥିଲେ- ହେଲେ ଭଗବାନ! ମୁଁ ପ୍ରକୃତ କଥା ଜାଣି ନପାରି ଆବେଗରେ ଯେଉଁ ପ୍ରତିଜ୍ଞା କରିଥିଲି (ମୁନିଦ୍ବୟଙ୍କୁ ପରାସ୍ତ କରି ଦର୍ପଚୂର୍ଣ୍ଣ କରିବା) ତାହା କ’ଣ ହେବ? ‘ଦାନବଶ୍ରେଷ୍ଠ! ଯେଉଁଠାରେ ଶକ୍ତି ପରାଜିତ ହୋଇଥାଏ ସେଠି ତ ଭକ୍ତି ବିଜୟୀ ହୋଇଥାଏ’- କହିଥିଲେ ବିଷ୍ଣୁ। ଯଦି ନାରାୟଣଙ୍କ ଉପରେ ବିଜୟ ହାସଲ କରିବାକୁ ଚାହୁଁଥାଅ ତ ଭକ୍ତିରେ ତାଙ୍କର ଅାରାଧନା କର। ଏହା ତୁମ ପାଇଁ ସୁସାଧ୍ୟ। ମୁନିଦ୍ବୟ ରୂପରେ ସେ ହିଁ ତ ସେଠାରେ ବିଶ୍ବମଙ୍ଗଳ କାମନାରେ ତପସ୍ୟାରତ ଥିଲେ। ପ୍ରହ୍ଲାଦ ବଦରିକାଶ୍ରମ ଯାଇ ବିଷ୍ଣୁଙ୍କ ପରାମର୍ଶ ଅନୁସାରେ ଭଗବାନ ନର-ନାରାୟଣଙ୍କୁ ଭକ୍ତି-ଶ୍ରଦ୍ଧା ବଳରେ ତପଶ୍ଚରଣ ପୂର୍ବକ ବଶ କରିଥିଲେ।
Popular Categories



