www.samajalive.in
Tuesday, December 9, 2025
16.1 C
Bhubaneswar

ନୂଆପଡ଼ା ବିଜୟ ପରେ ବସନ୍ତ ଅଲୋଡ଼ା !

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ଶେଷ ହେଲା। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟ୍‌ରେ ବିଧାୟକ ଭାବେ ନିର୍ବାଚିତ ହେଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବାବେଳେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଆଡ଼ରୁଷା ଆଲୋଚନାକୁ ଆସିଥିଲା। ବିଜେପି ନେତୃତ୍ବ ନିର୍ବାଚନ ପରେ ବସନ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କର ମାନଭଞ୍ଜନ କରିବାରେ ସମର୍ଥ ହୋଇଥିଲେ ବୋଲି ଚର୍ଚ୍ଚା ହେଲା। ବିଜେପିର ଶୃଙ୍ଖଳିତ ସୈନିକ ଭାବେ ବସନ୍ତ ଉପ-ନିର୍ବାଚନ ପ୍ରଚାରରେ ଦଳ ପାଇଁ ଅଗ୍ରଣୀ ଭୂମିକା ନିଭାଇଥିଲେ; କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣାର ୨୪ଘଣ୍ଟା ନ ପୂରୁଣୁ ସେ ଦଳ ପାଇଁ ଅଲୋଡ଼ା ହୋଇଗଲେ ବୋଲି ନୂଆପଡ଼ାରେ ଚର୍ଚ୍ଚା ଜୋର ଧରିଛି।

ଶୁକ୍ରବାର ନୂଆପଡ଼ା ଉପ-ନିର୍ବାଚନର ଫଳ ଘୋଷଣା ହେଲା। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଐତିହାସିକ ବିଜୟ ହାସଲ କରିଥିଲେ। ସେ ରେକର୍ଡ ପରିମାଣ ୧ଲକ୍ଷ ୨୩ ହଜାରରୁ ଅଧିକ ଭୋଟ ପାଇବା ସହ ୮୩ହଜାରରୁ ଅଧିକ ବ୍ୟବଧାନରେ ବିଜୟୀ ହେଲେ। ଏନେଇ ନୂଆପଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଉତ୍ସବର ମହୋଲ ରହିଥିଲା। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ପରସ୍ପରକୁ ବିଜୟର ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇଥିଲେ। ଏହି ସମୟରେ ବସନ୍ତ ନୂଆପଡ଼ାରେ ଉପସ୍ଥିତ ଥିଲେ। ନିଜ ବାସଭବନରେ ଏକାକୀ ବସି ଖବରକାଗଜର ପୃଷ୍ଠା ଓଲଟାଉଥିଲେ। ବିଜୟ ଉତ୍ସବ ପାଳନ ପାଇଁ ନୂଆପଡ଼ାରେ ବିଜେପିର ଅନେକ ନେତା, ବିଧାୟକ ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ; କିନ୍ତୁ କେହି ଜଣେ ବି ଏହି ଉତ୍ସବରେ ବସନ୍ତଙ୍କୁ ସାମିଲ କରିବା ପାଇଁ ଉଚିତ ମନେ କଲେନାହିଁ। ଜୟଙ୍କ ବିଜୟ ପଛରେ ବସନ୍ତଙ୍କର ବଡ଼ ଅବଦାନ ଥିଲେ ମଧ୍ୟ ସେ ଦଳର ବଡ଼ଙ୍କଠୁଁ ସାନ, ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଗଲେ।

- Advertisement -

ଜୟ ବିଜେପିରେ ସାମିଲ ହେବାବେଳେ ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ନିଜେ ରାଜ୍ୟ ସଭାପତି ମନମୋହନ ଦୀର୍ଘ ୩ଘଣ୍ଟା କାଳ ବସନ୍ତଙ୍କ ମାନଭଞ୍ଜନ ପାଇଁ ଚେଷ୍ଟା କରିଥିଲେ। ଏପରିକି ତମାମ ନିର୍ବାଚନ ପ୍ରଚାର ସମୟରେ ବସନ୍ତ ଯେମିତି ଅବୁଝା ନହୁଅନ୍ତି, ସେଥିପାଇଁ ମନମୋହନ ନୂଆପଡ଼ାରେ ଡେରା ପକାଇଥିଲେ। ନିର୍ବାଚନ ସରିବା ପରେ, ବିଜୟ ଉତ୍ସବରେ ଆଉ ବସନ୍ତଙ୍କ ଖୋଜା ପଡ଼ିଲା ନାହିଁ ବୋଲି ଶ୍ରୀ ପଣ୍ଡାଙ୍କ ସମର୍ଥକମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ଖାଲି ସେତିକି ନୁହେଁ, ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କ ପାଇଁ ସମ୍ବର୍ଦ୍ଧନା ସମାରୋହ ପାଳନ କରାଯାଇଥିଲା। ସେଥିରେ ମଧ୍ୟ ବସନ୍ତଙ୍କୁ ଦେଖିବାକୁ ମିଳି ନ ଥିଲା।

ଶ୍ରୀ ପଣ୍ଡା କ’ଣ କରୁଛନ୍ତି ତାହା ଜାଣିବା ପାଇଁ ଆମେ ତାଙ୍କୁ ଭେଟିଥିଲୁ। ଏହି ସମୟରେ ‘ବିଜେପି ଦଳ ତାଙ୍କ ମା’। ସେ କୁପୁତ୍ର କି କୁଳାଙ୍ଗାର ହେବାକୁ ପସନ୍ଦ କରିବେ ନାହିଁ। ଦଳ ପ୍ରତି ସମର୍ପିତ ଓ ଦଳ ଯାହା ଦାୟିତ୍ବ ଦେବ ତାହା ସେ କରିବେ’ ବୋଲି ମତ ଦେଇଥିଲେ। ଏହାଛଡ଼ା ସେ ଦଳର ଅଗଣିତ ଉପଲବ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଜୟଙ୍କ ବିଜୟ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ତାଙ୍କୁ ଉପଦେଶ ତ ଦେବାର ଅଧିକାର ମୋର ନାହିଁ; ସତ୍ୟ ପଥରେ ଜୟ ଚାଲନ୍ତୁ’ ବୋଲି ସେ କହିଥିଲେ। ଲୋକଙ୍କ ଆଶା ଆକାଂକ୍ଷା ଉପରେ ଜୟ ଉପଯୁକ୍ତ ନିର୍ଣ୍ଣୟ ନିଅନ୍ତୁ ବୋଲି ସେ ମତପ୍ରକାଶ କରିଥିଲେ। ଆଲୋଚନା ଛଳରେ ‘ମୁଁ ବିକ୍ରି ହେବା ଲୋକ କି ରାଜନୈତିକ ବେଶ୍ୟା ନୁହେଁ’ ବୋଲି ମଧ୍ୟ ଶ୍ରୀ ପଣ୍ଡା କଟାକ୍ଷ କରିଥିଲେ। ଦଳର ଏହି ବରିଷ୍ଠ ନେତା ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାବେଳେ ‘ବିକ୍ରି ହେବା ଲୋକ ଓ ରାଜନୈତିକ ବେଶ୍ୟା ନୁହେଁ’ ବୋଲି ବାରମ୍ବାର କହୁଥିଲେ। ଏଭଳି କଥା କାହାକୁ ନିଶାଣ କରି ସେ କହୁଥିଲେ ତାହାକୁ ନେଇ ଦଳୀୟ ନେତା, କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଏଥିସହିତ ଜୟଙ୍କ ପାଇଁ ପ୍ରଚାରରେ ଆଗୁଆ ଥିବା ସତ୍ତ୍ବେ ବିଜୟ ପରେ ଦଳ ତାଙ୍କୁ ଆଲୋଡ଼ା କରିଦେଇଥିବା ଚର୍ଚ୍ଚାକୁ ସେ ଅସ୍ବୀକାର କରିଥିଲେ। ‘ପାର୍ଟି ପାଇଁ କାମ କରିଛି, ବ୍ୟକ୍ତି ପାଇଁ ନୁହେଁ’ ବୋଲି ଶ୍ରୀ ପଣ୍ଡା କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories