www.samajalive.in
Monday, December 8, 2025
17.1 C
Bhubaneswar

ପ୍ରବାସୀ ଶ୍ରମିକ ଆଇନ ପ୍ରହସନ

ଭୁବନେଶ୍ୱର: ପଞ୍ଜିକୃତଙ୍କ ହିସାବ ରଖି ଶ୍ରମ ବିଭାଗ ହାତବାନ୍ଧି ବସିଛି। ଏଥିରେ ଅଣସଂଗଠିତ ଶ୍ରମିକ ଏବେ ସାମିଲ ହୋଇଛନ୍ତି। ଯିଏ ପଞ୍ଜିକୃତ କଲା, ତା’ ହିସାବ ରହିଲା, ଆଉ ଯିଏ ପଞ୍ଜିକୃତ ନକଲା ତା’ ହିସାବ ରଖୁଛି କିଏ ? ଦାଦନ ଖଟିବା ପାଇଁ ଯାଉଥିବା ଶ୍ରମିକଙ୍କ କିଛି ସମସ୍ୟା ହେଲେ ସେ ଦିଗରେ ଶ୍ରମ ବିଭାଗକୁ କୌଣସି ଖବର ମିଳୁନାହିଁ। ଅନ୍ୟ ରାଜ୍ୟରେ କାମ କରୁଥିବା ଓଡ଼ିଶାର କୌଣସି ଶ୍ରମିକଙ୍କ କିଛି ସମସ୍ୟା ହେଲେ ସେଠାକାର ପ୍ରଶାସନ ରାଜ୍ୟ ଶ୍ରମ ବିଭାଗକୁ ଖବର କରିବା ପରେ ସମ୍ପୃକ୍ତ ଶ୍ରମିକଙ୍କ ସମ୍ପର୍କରେ ସୂଚନା ମିଳୁଛି। ଏଠାରେ ଅଧିକାଂଶ ବିହାର ଓ ପଶ୍ଚିମବଙ୍ଗର ଶ୍ରମିକ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ହିସାବ ମଧ୍ୟ ବିଭାଗ ପାଖରେ ନାହିଁ।

ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସହାୟତା ମିଳିବା ଦୂରର କଥା, ସହାୟତା ଲାଗି ଗୁହାରି କଲେ, ବର୍ଷ ବର୍ଷ ଧରି ଫାଇଲ୍‌ ପଡ଼ି ରହୁଛି। ବିଭାଗରେ ଏମିତି ହଜାର ହଜାର ଆବେଦନପତ୍ର ପଡ଼ି ରହିଥିବା ଜଣାପଡ଼ିଛି। ସରକାରୀ ସୁବିଧା ଦିଗରେ ସେମାନଙ୍କୁ ସଚେତନ ମଧ୍ୟ କରାଯାଉନି। ନିର୍ମାଣ ହେଉକି ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ସରକାରୀ ସହାୟତା ପ୍ରଦାନ ପ୍ରହସନରେ ପରିଣତ ହୋଇଛି। କୌଣସି ଅଘଟଣ ଘଟିଲେ ଶ୍ରମିକର ପରିବାର ଉଜୁଡ଼ି ଯାଉଥିବା ନଜିର ରହିଛି। ପରିବାର ଲୋକ ଥାନାକୁ ଗଲେ ଶ୍ରମ ବିଭାଗକୁ ଯିବା ଲାଗି ପୁଲିସ ପରାମର୍ଶ ଦେଉଛି। ଅନ୍ୟ କେତେକ ସ୍ଥଳରେ ସମ୍ପୃକ୍ତ ଠିକାଦାର ଚାପରେ କେଇ ପଇସା ନେଇ ଶ୍ରମିକ ପରିବାର ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି।

- Advertisement -

ରାଜ୍ୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ପଞ୍ଜିକୃତ ନିର୍ମାଣ ଶ୍ରମିକ ରହିଛନ୍ତି। ସେ ମଧ୍ୟରେ ଖୋର୍ଦ୍ଧା ଜିଲାର ୨ ଲକ୍ଷ ୯୦ ହଜାର ଅଛନ୍ତି। ପଞ୍ଜିକୃତ ଶ୍ରମିକଙ୍କ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଜନା ରହିଛି। ବିବାହ, ସ୍ବାସ୍ଥ୍ୟ, ପିଲାମାନେ ପାଠ ପଢ଼ିବା ଆଦି ସୁବିଧା ପାଇବାକୁ ସରକାର ଯୋଜନା କରିଛନ୍ତି। ପିଲା ପାଠ ପଢ଼ିବା ଲାଗି ଆବେଦନ କରିବାର ବର୍ଷ ବର୍ଷ ବିତି ଗଲାପରେ ବି ଶ୍ରମିକ ସହାୟତା ପାଇବାରୁ ବଞ୍ଚିତ ରହିବା ନଜିର ରହିଛି।
ସହାୟତା ପାଇବାକୁ ହଜାର ହଜାର ଶ୍ରମିକଙ୍କ ଆବେଦନ ଏବେସୁଦ୍ଧା ପଡ଼ି ରହିଛି।

ଅନ୍ୟପଟେ ସଚେତନ ଶ୍ରମିକମାନେ ପୁରୁଣା ଆଇନରେ ବନ୍ଧା ପଡ଼ି ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଛି। ଅଘଟଣ ଘଟିବାର ୪୮ ଘଣ୍ଟା ମଧ୍ୟରେ ଶ୍ରମ ବିଭାଗକୁ ଅବଗତ କରିବା ଲାଗି ନିୟମ ରହିଛି। ଏହି ନିୟମ ଶ୍ରମିକଙ୍କ ଲାଗି ବାଧକ ସାଜିଛି। ଏଭଳି ନିୟମ ବଦଳିବା ଆବଶ୍ୟକ ବୋଲି କେତେକ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହୋଇଛି।

ଓଡ଼ିଶାର ଶ୍ରମିକ ବିଭିନ୍ନ ଦେଶରେ କାର୍ଯ୍ୟ କରୁଛନ୍ତି। ଅଧିକାଂଶ ଲୋକ ଦାଦନ ଖଟିବାକୁ ଗୁଜରାଟ ଓ ସାଉଦି ଆରବ ଯାଉଛନ୍ତି। ପ୍ରତିବ‌ର୍ଷ ଏମାନଙ୍କ ଯିବା ଆସିବା ଚାଲିଛି। କରୋନାର ପ୍ରଥମ ଲହର ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଜିଲାକୁ ଫେରିଥିଲେ। ଦ୍ବିତୀୟ ଲହର ବେଳେ ଅଧିକ ଶ୍ରମିକ ନିଜ ଘରେ ପହଞ୍ଚିଥିଲେ। ଗୁଜରାଟ ବ୍ୟତୀତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଦିଲ୍ଲୀ, ମୁମ୍ବଇ ଓ ଚେନ୍ନଇ ଭଳି ସହରରେ ବହୁ ଲୋକ କାମ କରୁଛନ୍ତି।

କରୋନାର ଦ୍ବିତୀୟ ଲହର ଥମିବା ପରେ ରୋଜଗାର ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ଦେଶକୁ ଯାଇଥିଲେ। ସେତେବେଳେ ପରିସ୍ଥିତି ଏମିତି ହୋଇଥିଲା ଯେ ମାସ ମାସ ଧରି ରେଳ ଟିକଟ ମିଳିପାରୁନଥିଲା। କେତେକ ଲୋକ ରାଜ୍ୟ ବାହାରକୁ ଯାଇଛନ୍ତି, ସେମାନେ କେଉଁଠି ଓ କିଭଳି କାମ କରୁଛନ୍ତି ସେ ସମ୍ପର୍କରେ ଶ୍ରମ ବିଭାଗ ନିକଟରେ କିଛି ବିଧିବଦ୍ଧ ସୂଚନା ନଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଶ୍ରମିକ ନେତା ଅଞ୍ଜନ ନାଥଙ୍କ କହିବା ଅନୁସାରେ, ଶ୍ରମ ବିଭାଗ ହାତବାନ୍ଧି ବସିଛି। ଶ୍ରମିକମାନେ ସରକାରୀ ସହାୟତା ପାଇ ପାରୁନାହାନ୍ତି। ପିଲା ପାଠ ପଢ଼ିବା ଲାଗି ଆବେଦନ କରିବାର ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ଶ୍ରମିକ ସାହାଯ୍ୟ ପାଇବା ସ୍ବପ୍ନ ପାଲଟିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories