ପାଟଣା: ବିହାରରେ ଅଧିକାଂଶ ଏକଜିଟ୍ ପୋଲ୍ ଏନଡିଏ ସରକାର ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରୁଥିବାବେଳେ ନ୍ୟୁଜ୍-ପିଞ୍ଚ୍-ଏଆଇ ପଲିଟିକ୍ସର ଏକଜିଟ୍ ପୋଲରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ମୁକାବିଲା ହେବା ସଙ୍କେତ ମିଳୁଛି। ଏଥିରେ କୁହାଯାଇଛି କି ଏନଡିଏକୁ ୧୨୧ ସିଟ୍ ମିଳିପାରେ। ତେବେ ମହାମେଣ୍ଟ ଖାତାକୁ ୧୧୯ ସିଟ୍ ଆସିବା ଅନୁମାନ କରାଯାଇଛି। ଏଥିରେ ୬ ସିଟ୍ ବୃଦ୍ଧି କିମ୍ବା ହ୍ରାସ ପାଇପାରେ। ତେବେ ଅନ୍ତିମ ଫଳାଫଳ ୧୪ ନଭେମ୍ବର ଶୁକ୍ରବାର ଜାରି ହେବ।
ଏଜେନ୍ସି ଅନ୍ୟାନ୍ୟ ଦଳ ଖାତାକୁ ୩ରୁ ୫ ସିଟ୍ ଯିବା ଆକଳନ କରିଛି। ଖାସ୍ କଥା ହେଉଛି ଏହି ଆକଳନରେ କୌଣସି ବି ଦଳକୁ ବହୁମତ ମିଳୁଥିବା ନଜର ଆସୁନି। ଏକଜିଟ୍ ପୋଲରେ କୁହାଯାଇଛି କି ଆରଜେଡି ୮୯-୯୭ ସିଟରେ ବଡ ଦଳ ହୋଇ ଉଭା ହୋଇପାରେ। ଅନ୍ୟପରେ ଦ୍ବିତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ୮୫-୯୩ ଆସନ ନିଜ ନାଁରେ କରିପାରେ। ଜନତା ଦଳ ୟୁନାଇଟେଡକୁ ୨୫-୩୧ , ଏଲଜେପିକୁ ୨-୪ ସିଟ୍ ମିଳିପାରେ। ମହାମେଣ୍ଟ ଦଳରେ କଂଗ୍ରେସକୁ ୧୪-୨୧, ଭିଆଇପିକୁ ୨-୩, ସିପିଆଇକୁ ୧-୨, ସିପିଆଇ(ଏମଏଲ)ଏଲକୁ ୨-୫ ଏବଂ ସିପିଆଇଏମକୁ ୧-୨ ସିଟ୍ ମିଳିବା ଅନୁମାନ କରାଯାଉଛି। ଆସନ ମାମଲାରେ ଏନଡିଏ ଆଗେଇ ଥିବାବେଳେ ଏକଜିଟ ପୋଲ୍ ଅନୁସାରେ ଭୋଟ୍ ସେୟାରିଂ ମାମଲାରେ ମହାମେଣ୍ଟ ଆଗରେ ରହିଛି। ରାଜ୍ୟରେ ଏନଡିଏ ଖାତାରେ ୩୮.୪ ପ୍ରତିଶତ ଭୋଟ୍ ଆସୁଥିବା ଦେଖିବାକୁ ମିଳୁଛି। ମହାମେଣ୍ଟକୁ ୩୯.୨ ପ୍ରତିଶତ ଭୋଟ୍ ମିଳିବା ଆକଳନ କରାଯାଉଛି। ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟିକୁ ୧୨.୭ ପ୍ରତିଶତ ଭୋଟ୍ ମିଳିପାରେ। ଅନ୍ୟାନ୍ୟ ଖାତାକୁ ୯.୮ ପ୍ରତିଶତ ଭୋଟ୍ ମିଳିପାରେ।



