ସମାଜଲାଇଭ ଡେସ୍କ: ଆପଣ ଆକାଉଣ୍ଟର ସିବିଲ ସ୍କୋର ବା କ୍ରେଡିଟ ସ୍କୋର ଅତି ଗୁରୁତ୍ଵପୂର୍ଣ୍ଣ। ଋଣ କରିବା ସମୟରେ ଏହାର ବେଶ୍ ଗୁରୁତ୍ଵ ରହିଥାଏ। ଯାହା ଖରାପ ହୋଇଗଲେ ବ୍ୟାଙ୍କ ଋଣ ଦେବାକୁ ମନା କରିଦେଇଥାଏ। ସିବିଲ ଖରାପ ହେବାର ଅନେକ କାରଣ ରହିଛି। ତେବେ ଚେକ୍ ବାଉନ୍ସ ହୋଇଗଲେ ସିବିଲ ଉପରେ ଏହା ପ୍ରଭାବ ପକାଇଥାଏ କି ? ଅନେକଙ୍କ ମନରେ ଏପରି ପ୍ରଶ୍ନ ରହିଥିବ। ଆସନ୍ତୁ ଜାଣିବା ସେ ବିଷୟରେ। ଆଉ କିପରି ଆପଣ ନିଜ କ୍ରେଡିଟ ସ୍କୋର ବଢ଼ାଇ ପାରିବେ ତାହା ବି ଆଲୋଚନା କରିବା।
ଅନେକ ସମୟରେ ଆମେ କୌଣସି କାମ ପାଇଁ ଚେକ୍ ଲଗାଇଥାଉ ଏବଂ ତାହା ବାଉନ୍ସ ହୋଇଯାଏ। ସାଧାରଣତଃ ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ କମ ହେଲେ କିମ୍ବା କୌଣସି ବୈଷୟିକ ତ୍ରୁଟି ଯୋଗୁ ଏପରି ହୋଇଥାଏ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା ଦ୍ଵାରା ସିବିଲ ସ୍କୋର ଉପରେ ପ୍ରଭାବ ପଡ଼ିଥାଏ କି ?
ଆମେ ଜାଣିଛେ କୌଣସି ଲୋନ କିମ୍ବା କ୍ରେଡିଟ କାର୍ଡ ପାଇଁ ସିବିଲ ସ୍କୋର ଭଲ ରହିବା ଜରୁରୀ। ଏହା ଖରାପ ହେଲେ ଲୋନ କିମ୍ବା କ୍ରେଡିଟ କାର୍ଡ ମିଳିବାରେ କଷ୍ଟ ହୋଇଥାଏ। ଏପରି କି ଲୋନ ମିଳିଲେ ବ୍ୟାଙ୍କ ଉଚ୍ଚ ହାରରେ ସୁଧ ନେଇଥାଏ।
ସିବିଲ ସ୍କୋର କ’ଣ ?
ସିବିଲ ସ୍କୋର ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା, ଯାହା ୩୦୦ରୁ ୯୦୦ ମଧ୍ୟରେ ହୋଇଥାଏ। ଏହା ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ଏବଂ ଲୋନ ପରିଶୋଧ କରିବାର କ୍ଷମତାକୁ ଦର୍ଶାଇଥାଏ। ଏହି ସ୍କୋର ଯେତେ ଅଧିକ ହେବ ଆପଣ ଋଣ ନେବା ପାଇଁ ସେତେ ସକ୍ଷମ ବୋଲି ବ୍ୟାଙ୍କ ବୁଝିଥାଏ। ଏହି ସ୍କୋର ୭୫୦ରୁ ଅଧିକ ରହିଲେ ବ୍ୟାଙ୍କଗୁଡ଼ିକ ଋଣ ଦେବାକୁ ଆଗ୍ରହ ଦେଖାଇଥାଆନ୍ତି।
କେଉଁକାରଣ ପାଇଁ ଚେକ୍ ବାଉନ୍ସ ହୁଏ ?
ଚେକ୍ ବାଉନ୍ସ ହେବାର ଅନେକ କାରଣ ରହିଛି। ସେଗୁଡ଼ିକ ହେଲା- ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନ ଥିବା, ଦସ୍ତଖତ ଅମେଳ ହେବା, ଭୁଲ ତାରିଖ ପକାଯିବା, ଲେଖା କଟାକଟି ହୋଇଥିବା ବା ଓଭରରାଇଟିଂ, ଟଙ୍କା ପରିମାଣରେ ଅନ୍ତର ରହିବା, ଆକାଉଣ୍ଟ ବନ୍ଦ ହେବା, ଚେକ୍ ଚିରିଯିବା କିମ୍ବା ଖରାପ ହୋଇଯିବା, ଓଭରଡ୍ରାଫ୍ଟ ସୀମା ଅତିକ୍ରମ କରିବା। ଏସବୁ ଚେକ୍ ବାଉନ୍ସ ହେବାର କାରଣ।
ଚେକ ବାଉନ୍ସ ସିବିଲ ସ୍କୋରକୁ ପ୍ରଭାବିତ କରେ କି ?
ସାଧାରଣତଃ ଏହାର ଉତ୍ତର ହେଉଛି ନାଁ। ବ୍ୟାଙ୍କ ବା ଆର୍ଥିକ ସଂସ୍ଥା ଚେକ୍ ବାଉନ୍ସ ତଥ୍ୟ ସିଧାସଳଖ ସିବିଲ କିମ୍ବା ଅନ୍ୟ କ୍ରେଡିଟ ରେଟିଂ ସଂସ୍ଥାକୁ ଦିଅନ୍ତି ନାହିଁ। ସେଥିଲାଗି କେବଳ ଚେକ୍ ବାଉନ୍ସ ହେବା ଦ୍ଵାରା ଆପଣଙ୍କ କ୍ରେଡିଟ ସ୍କୋର ଖରାପ ହୋଇ ନ ଥାଏ।
ଚେକ୍ ବାଉନ୍ସ ହେବା ଦ୍ଵାରା କେତେବେଳେ ସିବିଲ ସ୍କୋର ଉପରେ ପ୍ରଭାବ ପଡ଼ିଥାଏ ?
ଯଦି ଚେକ୍ ବାଉନ୍ସ ହେବା ଦ୍ଵାରା ଆପଣଙ୍କ ଇଏମଆଇ ବା କ୍ରେଡିଟ କାର୍ଡ ଦେୟ ପଇଠରେ ବାଧା ଉପୁଜେ କିମ୍ବା ସମୟ ଅନୁସାରେ ହୋଇ ନ ଥାଏ, ତେବେ ଏହା ଦ୍ଵାରା ବ୍ୟାଙ୍କ ଏ ସମ୍ପର୍କରେ କ୍ରେଡିଟ ରେଟିଂ ସଂସ୍ଥାଙ୍କୁ ତଥ୍ୟ ଦେଇପାରେ। ଇଏମଆଇ ପ୍ରଦାନରେ ବିଳମ୍ବ ଏବଂ କ୍ରେଡିଟ କାର୍ଡ ଦେୟ ପଇଠରେ ବିଳମ୍ବ ସିବିଲ ସ୍କୋରକୁ ଖରାପ କରିପାରେ।
ବାରମ୍ବାର ଚେକ ବାଉନ୍ସ ହେଲେ କ’ଣ ହେବ ?
ଚେକ୍ ବାଉନ୍ସ ଯୋଗୁ ଇଏମଆଇ ପ୍ରଦାନରେ ବିଳମ୍ବ ହେଲେ କ୍ରେଡିଟ ସ୍କୋର ଦ୍ରୁତ ଗତିରେ ହ୍ରାସ ପାଇଥାଏ। କିନ୍ତୁ ଥରେ କିମ୍ବା ଦୁଇଥର ହେଲେ ବିଶେଷ ପ୍ରଭାବ ପକାଇ ନ ଥାଏ।
କେମିତି ସୁଧାରିବେ ସିବିଲ ସ୍କୋର ?
-ଠିକ ସମୟରେ କ୍ରେଡିଟ କାର୍ଡ ଦେୟ ପଇଠ କରିବା
-ଇଏମଆଇ ଦେବାରେ ବିଳମ୍ବ ନ କରିବା
-କ୍ରେଡିଟ ବିନିଯୋଗ ୩୦ ପ୍ରତିଶତରୁ କମ ରଖିବା
-ପୁରୁଣା କ୍ରେଡିଟ ଆକାଉଣ୍ଟ ଖୋଲା ରଖିବା
-ଋଣ ପାଇଁ ବାରମ୍ବାର ଆବେଦନ ନ କରିବା
-ଜଏଣ୍ଟ ଲୋନ ବି ଠିକ ସମୟରେ ପରିଶୋଧ କରିବା
-ପ୍ରତିବର୍ଷ ସିବିଲ ସ୍କୋର ଯାଞ୍ଚ କରିବା
-କ୍ରେଡିଟ କାର୍ଡ ବିଲ୍ର ପୂରା ପେମେଣ୍ଟ କରିବା



