ବାସୁଦେବପୁର: ଋଣ ପରିଶୋଧ କରିବାକୁ ଯାଇଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ। ଏପରି କି ମହିଳାଙ୍କୁ ଜଣେ କର୍ମଚାରୀ ଧକ୍କା ମାରିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ସହର କଲେଜ ଛକରେ ଥିବା ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ।
ଅଭିଯୋଗ ଅନୁସାରେ, ପୌରପାଳିକାର ସରସ୍ୱତୀ ନାୟକ ନାମ୍ନୀ ମହିଳା ଉକ୍ତ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ନେଇଥିଲେ। ଶୁକ୍ରବାର ଋଣ ବାବଦକୁ ୧ ଲକ୍ଷ ୯୫୦ ଟଙ୍କା ପରିଶୋଧ କରିବାକୁ ସେ ସଂସ୍ଥା କାର୍ଯ୍ୟାଳୟକୁ ଯାଇଥିଲେ। ସଂସ୍ଥା କର୍ମଚାରୀ ନଗଦ ୧୯ହଜାର ୯୯୯ଟଙ୍କା ପଇଠ କରିବା ସହ ବକେୟା ଅର୍ଥରାଶି ଅନଲାଇନରେ ପଇଠ କରିବାକୁ ସରସ୍ଵତୀଙ୍କୁ କହିଥିଲେ। ମାତ୍ର ସରସ୍ଵତୀ ଏ ସଂପର୍କରେ ଆଗରୁ କାହିକିଁ ଜଣାଇଲେ ନାହିଁ ବୋଲି କର୍ମଚାରୀଙ୍କୁ କହିଥିଲେ। ଏହାକୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ବ୍ୟାଙ୍କର ଜଣେ କର୍ମଚାରୀ ମହିଳାଙ୍କୁ ସିସିଟିଭି ନଜର ଆଢୁଆଳକୁ ଡାକିନେଇ ଧକ୍କା ମାରିଥିଲେ। ଫଳରେ ମହିଳା ଜଣକ ଚେତା ହରାଇ ତଳେ ପଡ଼ିଯାଇଥିଲେ। କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଥିବା ଜଣେ ସଂପର୍କୀୟ ଚେତାଶୂନ୍ୟ ଅବସ୍ଥାରେ ମହିଳାଙ୍କ ନିକଟରେ ପହଞ୍ଚି ଥାନାକୁ ଫୋନ କରିଥିଲେ। ପରେ ଖବରପାଇ ଅନ୍ୟ ସଂପର୍କୀୟମାନେ ଆସି ବ୍ୟାଙ୍କରେ ପହଞ୍ଚିଥିଲେ। ଖବରପାଇ ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲା। ସଂସ୍ଥା ପରିଚାଳକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।



