ସମାଜ ଡିଜିଟାଲ ଡେସ୍କ: ସିଡନୀରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚକୁ ଟିମ ଇଣ୍ଡିଆ ଜିତି ନେଇଛି। ଅନ୍ତିମ ମ୍ୟାଚରେ ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬୯ ବଲ ବାକି ଥାଇ ୯ ଉଇକେଟରେ ପରାସ୍ତ କରିଛି। ତେବେ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୧-୨ରେ ହାତଛଡ଼ା କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହିତ ଘରୋଇ ଦଳ ଆଗୁଆ ସିରିଜ କବଜା କରିନେଇଛି।
ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟି କରି ୪୬.୪ ଓଭରରେ ୨୩୬ ରନ କରି ଅଲଆଉଟ ହୋଇଯାଇଥିଲା। ହର୍ଷିତ ରାଣା(୪ ଉଇକେଟ) ଏବଂ ଓ୍ବାଶିଂଟନ ସୁନ୍ଦର(୨ ଉଇକେଟ)ଙ୍କ ଘାତକ ବୋଲିଂକୁ ସାମ୍ନା କରିପାରି ନ ଥିଲା କଙ୍ଗାରୁ ଦଳ। ଦଳ ପକ୍ଷରୁ ମ୍ୟାଟ୍ ରେନଶ ସର୍ବାଧିକ ୫୬ ରନ କରିଥିବାବେଳେ ମିଚେଲ ମାର୍ଶ ୪୧ ଏବଂ ମ୍ୟାଥ୍ୟୁ ଶର୍ଟ ୩୦ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଳଦୀପ ଯାଦନବ, ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
୨୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୩୮.୩ ଓଭରରେ ମ୍ୟାଚ ଜିତି ନେଇଥିଲା। ରୋହିତ ସର୍ବାଧିକ ୧୨୧ ଏବଂ କୋହଲ ୭୪ ରନର ପାଳି ଖେଳିଥିଲେ। ଶୁବମନ ଗିଲ୍(୨୪) ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଜୋଶ ହାଜେଲଉଡ ଗିଲ୍ଙ୍କୁ ଆଉଟ କରି କେବଳ ଗୋଟିଏ ହାସଲ କରିଥିଲେ।



