ଇନ୍ଦୋର: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଘନିଷ୍ଠ ସହଯୋଗୀ କଂଗ୍ରେସ ନେତା ପ୍ରବେଶ ଅଗ୍ରୱାଲଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରବେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୪ବର୍ଷୀୟା ଝିଅ ସୌମ୍ୟା ଏବଂ ୧୨ବର୍ଷୀୟା ମାଇରା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘରେ ନିଆଁ ଲାଗିବାରୁ ପରିବାର ସଦସ୍ୟ ଫସିଯାଇଥିଲେ । ଶ୍ୱାସରୁଦ୍ଧ ହେବାରୁ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ସମୟରେ ପ୍ରବେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି ।
ଉଲ୍ଲେଖନୀୟ ଯେ ପ୍ରବେଶ ଅଗ୍ରୱାଲ ସୌମ୍ୟା ମୋଟର୍ସ ନାମରେ ଅନେକ କାର ସୋରୁମ୍ ମାଲିକ ଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନିକଟତର ରହିଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ରୋଷେଇ ଘରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ସୁରକ୍ଷାରେ ଥିବା କର୍ମଚାରୀ ନିଆଁକୁ ଆୟତ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୁଲିସ ପ୍ରବେଶ ଅଗ୍ରୱାଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।



