ପିପିଲି:ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ । ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି । ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ । ସେ କେବଳ ଉତ୍କଳର ମଣି ନଥିଲେ ବାସ୍ତବରେ ସେ ଥିଲେ ବିଶ୍ୱର ମଣି । ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ । ତେଣୁ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଛି । ଅଗ୍ରଣୀ ନାଗରିକ ସଂଗଠନ “ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଠାରେ ଗୁରୁବାର ଅନୁଷ୍ଠିତ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁପ୍ରେମୀ ମାନେ ଏହି ଦାବି କରିଛନ୍ତି ।
ଏହି ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ସାମୁହିକ ସଫେଇ କରାଯିବା ପରେ ସେଠାରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ “ଜନସ୍ୱାର୍ଥ ସୁରକ୍ଷା ସମିତି’ର ମୁଖ୍ୟ ସଂଯୋଜକ ତଥା ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ସମାଜସେବୀ ବଂଶୀଧର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗୋପବନ୍ଧୁଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପରେଶ କୁମାର ମିଶ୍ର, ଚିତ୍ତରଞ୍ଜନ ସାହୁ, ରଣଜିତ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାଶ, ଅର୍ଜ୍ଜୁନ ଘଡେଇ, ଆଇନଜୀବୀ ସୁରେଶ ରଥ, ଭଗବାନ ସେଠୀ, ଅଶୋକ ସେଠୀ, ଶିକ୍ଷାବିତ୍ ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ ସାହୁ, କଳ୍ପନା ମିଶ୍ର, ମାନସ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀର ତ୍ୟାଗ, ନିଷ୍ଠା, ସମାଜସେବା ଓ ସାମ୍ବାଦିକତା ଦିଗ ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବା ସହ ତାଙ୍କ ଦ୍ୱାରା ରଚିତ କବିତା ଗୁଡିକୁ ବିଭିନ୍ନ ଭାଷାରେ ଭାଷାନ୍ତର କରାଯାଇ ତାକୁ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ପ୍ରଚାର ଓ ପ୍ରସାର କରାଇବାକୁ ସନ୍ତୋଷ କୁମାର ମିଶ୍ର ଦାବି ରଖିଥିଲେ ।
ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳୀକୁ ଆବଦ୍ଧ କରାଯାଇ ସେଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯିବାକୁ ଶ୍ରୀମିଶ୍ର ଦାବି ରଖିଥିଲେ । ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଗୋପବନ୍ଧୁଙ୍କ କବିତା ଓ ସଂକ୍ଷୀପ୍ତ ଜୀବନୀ ପାଠ କରାଯାଇଥିଲା । ଶେଷରେ ଯୋଗଗୁରୁ ବଂଶୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



