ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୫୭ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ମାତ୍ର ମାତ୍ର ୫ ଲକ୍ଷ ହିତାଧିକାରୀଙ୍କୁ ବର୍ଦ୍ଧିତ ଭାବେ ମାସିକ ୩୫୦୦ ଟଙ୍କା ଭତ୍ତା ମିଳୁଛି। ଭତ୍ତା ପାଇବା ପାଇଁ ଏବେ ରାଜ୍ୟରେ ୭ ଲକ୍ଷରୁ ଅଧିକ ଲୋକ ଆବେଦନ କରି ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରି ରହିଛନ୍ତି। ବିଜେଡି ବିଧାୟକ ଗଣେଶ୍ବର ବେହେରା ଓ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟରେ ମଧୁବାବୁ ପେନ୍ସନ ଯୋଜନାରେ ୩୬,୬୪,୦୦୪ ଜଣ ଭତ୍ତା ପାଉଥିବା ବେଳେ ଜାତୀୟ ସାମାଜିକ ସହାୟତା ଯୋଜନା (ଏନ୍ଏସ୍ଏପି)ରେ ୨୦,୨୭,୯୮୭ ଜଣଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କ ସଂଖ୍ୟା ୩,୭୨,୯୫୩ ଏବଂ ୮୦%ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧,୫୦,୩୩୩। ମନ୍ତ୍ରୀ କହିଛନ୍ତି ଯେ ମଧୁବାବୁ ପେନସନ ଯୋଜନାରେ ୬,୯୧,୮୨୨ ଜଣ ଏବଂ ଏନ୍ଏସ୍ଏପିରେ ୧୬,୨୬୭ ଜଣ ଆବେଦନ କରି ଭତ୍ତା ପାଇବାକୁ ଅପେକ୍ଷାରେ ଅଛନ୍ତି।
ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ ଭତ୍ତା ଆବେଦନପତ୍ର ଅନୁମୋଦନ ନିମନ୍ତେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ତଥ୍ୟ ଅନୁସାରେ ଗଞ୍ଜାମ ଜିଲାରେ ସର୍ବାଧିକ ୭୧ ହଜାର ଆବେଦନକାରୀ ଥିବାବେଳେ ମୟୂରଭଞ୍ଜରେ ୪୭ ହଜାର, କଟକରେ ୪୧ ହଜାର, ବାଲେଶ୍ବରରେ ୪୦ ହଜାର, ଯାଜପୁରରେ ୩୮ ହଜାର, ବଲାଙ୍ଗିରରେ ୩୫ ହଜାର, କେନ୍ଦୁଝରରେ ୩୫ ହଜାର, ପୁରୀରେ ୩୩ ହଜାର, କେନ୍ଦ୍ରାପଡ଼ାରେ ୩୨ ହଜାର, ଖୋର୍ଦ୍ଧାରେ ୩୦ ହଜାର, ସୁନ୍ଦରଗଡ଼ରେ ୨୬ ହଜାର ଲୋକ ବିଭିନ୍ନ ବର୍ଗରେ ଭତ୍ତା ପାଇଁ ଆବେଦନ କରି ରହିଛନ୍ତି। ଉପ ଜିଲାପାଳ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ, ବିଡିଓ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ, ତହସିଲଦାର ଭଳି ଅଧିକାରୀଙ୍କ ପାଖରେ ଏସବୁ ଫାଇଲ ପଡ଼ି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, ଅନାଥ, ତୃତୀୟଲିଙ୍ଗୀ, ଅସହାୟ ଆଦି ବର୍ଗରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରୁଛନ୍ତି। ହେଲେ ବର୍ଷ ବର୍ଷ ଧରି ସେମାନଙ୍କ ଆବେଦନ ଆଗକୁ ବଢ଼ିପାରୁ ନାହିଁ। ସାଧାରଣତଃ ବହୁତ ଖରାପ ଆର୍ଥିକ ସ୍ଥିତିରେ ଥିବା ଲୋକ ଭତ୍ତା ପାଇଁ ଆବେଦନ କରୁଥିବା ବେଳେ ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ସେମାନେ ନିଜ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଗୋଟିଏ କାର୍ଯ୍ୟାଳୟରୁ ଆଉ ଗୋଟିଏ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ହେଲେ ଅଧିକାଂଶ ଅଧିକାରୀ କ୍ଷେତ୍ରକୁ ଯାଇ ଅନୁଧ୍ୟାନ କରିବାକୁ ନିଜ କର୍ତ୍ତବ୍ୟ ବୋଲି ମଣୁ ନାହାନ୍ତି। କ୍ଷମତାକୁ ଆସିଲେ ସମସ୍ତଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ସରକାର ଗଠନ ପରେ କେବଳ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦%ରୁ ଅଧିକ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ମିଳୁଛି।



