ଗାଜାରୁ ଆସୁଥିବା ଖବର କେବଳ ଏକ ଭୌଗୋଳିକ ସଂଘର୍ଷର କାହାଣୀ ନୁହେଁ, ବରଂ ଆମ ମାନବୀୟ ମୂଲ୍ୟବୋଧ ଏବଂ ଅନ୍ତର୍ଜାତୀୟ ନ୍ୟାୟିକ ବ୍ୟବସ୍ଥାର ଏକ ଭୟଙ୍କର ପ୍ରତିଫଳନ। ଜାତିସଂଘ ପକ୍ଷରୁ ନିଯୁକ୍ତ ସ୍ୱତନ୍ତ୍ର ପ୍ରତିନିଧି ଫ୍ରାନ୍ସେସ୍କା ଆଲବାନେସଙ୍କ କଠୋର ବର୍ଣ୍ଣନା ଏବଂ ଜାତିସଂଘର ସ୍ୱାଧୀନ ଅନ୍ତର୍ଜାତୀୟ ଅନୁସନ୍ଧାନ କମିଶନର ଅଧ୍ୟକ୍ଷ ନାଭି ପିଲେଙ୍କ ଘୋଷଣା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗାଜାରେ ଯାହା ଘଟୁଛି, ତାହା କେବଳ ଯୁଦ୍ଧ ନୁହେଁ, ବରଂ ଏକ ସୁଚିନ୍ତିତ ନରସଂହାର, ଯାହା ଅନ୍ତର୍ଜାତୀୟ ଆଇନର ସମସ୍ତ ମାନଦଣ୍ଡକୁ ଉଲ୍ଲଂଘନ କରୁଛି । ଶିଶୁ, ଶ୍ରମିକ, ସାମ୍ବାଦିକ ଏବଂ ଜାତିସଂଘ କର୍ମଚାରୀଙ୍କ ସମେତ ହଜାର ହଜାର ନିରୀହ ପାଲେଷ୍ଟାଇନୀୟଙ୍କ ହତ୍ୟା ମାନବତାର ମୁଣ୍ଡରେ ଏକ ଅଲିଭା କଳଙ୍କର ଦାଗ ଦେଇଛି । ଜନସାଧାରଣଙ୍କୁ ଭୋକିଲା ରଖିବା, ଚିକିତ୍ସା ଅବରୋଧ କରିବା, ଏବଂ ବ୍ୟାପକ ବିସ୍ଥାପନ – ଏସବୁ କାର୍ଯ୍ୟର ମୂଳ ଲକ୍ଷ୍ୟ ହେଉଛି ପାଲେଷ୍ଟାଇନୀୟମାନଙ୍କୁ ସେମାନଙ୍କ ନିଜ ଭୂମିରୁ ମୂଳୋତ୍ପାଟନ କରିବା । ଏହା ଅତ୍ୟନ୍ତ ଚିନ୍ତାଜନକ ଯେ ଏପରି ଭୟଙ୍କର ଅତ୍ୟାଚାର ଚାଲିଥିବାବେଳେ, ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଏହାକୁ ଅଣଦେଖା କରିବାରେ ଲାଗିଛନ୍ତି ଏବଂ ଏଥିରୁ ଲାଭ ଉଠାଉଛନ୍ତି। ଅନେକ ଦେଶ ଇସ୍ରାଏଲ ସହିତ ଅସ୍ତ୍ରଶସ୍ତ୍ର ବ୍ୟାପାର ଏବଂ କୂଟନୈତିକ ସମ୍ପର୍କ ବଜାୟ ରଖିଛନ୍ତି। ଏହି ନିରବତା ଏବଂ ସହଯୋଗ କେବଳ ନୈତିକ ଭୁଲ ନୁହେଁ, ବରଂ ଅନ୍ତର୍ଜାତୀୟ ଆଇନର ଏକ ଘୋର ଉଲ୍ଲଂଘନ।
ଆମେରିକା ଦ୍ୱାରା ପ୍ରଣୀତ ଜାପାନର ସମ୍ବିଧାନର ଧାରା ୯ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନର ସମ୍ବିଧାନରେ ଏକ ବିଶେଷ ଧାରା (ଧାରା ୯) ରଖାଯାଇଥିଲା, ଯାହା ଜାପାନକୁ କାହା ଉପରେ ଆକ୍ରମଣ କରିବାର କ୍ଷମତାକୁ ସୀମିତ କରେ। ଏହି ଧାରାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ “ଆନ୍ତର୍ଜାତିକ ବିବାଦର ସମାଧାନ ପାଇଁ ଯୁଦ୍ଧକୁ ଏକ ସାର୍ବଭୌମ ଅଧିକାର ଭାବରେ, ଏବଂ ଆନ୍ତର୍ଜାତିକ ସମ୍ପର୍କରେ ଶକ୍ତି ପ୍ରୟୋଗ ବା ଧମକକୁ ଜାପାନୀ ଲୋକେ ସବୁଦିନ ପାଇଁ ତ୍ୟାଗ କରୁଛନ୍ତି।” ଏହି ଧାରା ଆମେରିକାର ଚାପରେ ରଖାଯାଇଥିଲା। ଯଦି ଜାପାନ ପ୍ରସଙ୍ଗରେ ବିଶ୍ୱ ଶାନ୍ତି ଲାଗି ଏମିତି ଏକ କଠୋର ଧାରା ତାର ସମ୍ବିଧାନରେ ଯୋଡା ଯାଇ ପାରୁଛି, ତେବେ ଆଜି ଇସ୍ରାଏଲ ଓ ପାଲେଷ୍ଟାଇନ ସମସ୍ୟା ପ୍ରସଙ୍ଗରେ ବିଶ୍ୱ ସମୁଦାୟ, ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକା, ସେମିତି କିଛି ନିରପେକ୍ଷ ଏବଂ ଦୃଢ଼ ପଦକ୍ଷେପ ନେବାରେ ଅସୁବିଧା କେଉଁଠି? ଏହା ଅନ୍ତର୍ଜାତୀୟ ଆଇନର ‘ସର୍ବବ୍ୟାପକତା’ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି କରେ, ଯେଉଁଠାରେ ବଳଶାଳୀ ରାଷ୍ଟ୍ରମାନଙ୍କର ସ୍ୱାର୍ଥ ଅନୁଯାୟୀ ନିୟମଗୁଡ଼ିକର ପ୍ରୟୋଗ ବଦଳିଯାଏ। ଏପରି ସମୟରେ, ଜାତିସଂଘର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଅପରିହାର୍ଯ୍ୟ ।
ନିଜର ନାମର ଯଥାର୍ଥତା ରଖିବା ପାଇଁ ଏବଂ ବିଶ୍ୱ ଶାନ୍ତି ତଥା ମାନବ ଅଧିକାରର ରକ୍ଷାକର୍ତ୍ତା ଭାବରେ, ଜାତିସଂଘକୁ ଆହୁରି ସକ୍ରିୟ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିବାକୁ ହେବ। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ପ୍ରଭାବକୁ ଖାତିର ନକରି, ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଭେଟୋ କ୍ଷମତାର ଅପବ୍ୟବହାରକୁ ପ୍ରଶ୍ନ କରିବା ଏବଂ ତା’ର ସୀମା ନିର୍ଦ୍ଧାରଣ ପାଇଁ ପ୍ରୟାସ କରିବା ଏକାନ୍ତ ଜରୁରୀ। ଅନେକ ସମୟରେ, ଗାଜା ପ୍ରସଙ୍ଗରେ ଆମେରିକାର ଭେଟୋ କ୍ଷମତା ଜାତିସଂଘର ମାନବୀୟ ହସ୍ତକ୍ଷେପ ଏବଂ ଶାନ୍ତି ପ୍ରୟାସକୁ ବାଧା ଦେଇଛି, ଯାହା ଅନ୍ତର୍ଜାତୀୟ ନ୍ୟାୟିକ ବ୍ୟବସ୍ଥାକୁ ଦୁର୍ବଳ କରୁଛି। ତେଣୁ, ଜାତିସଂଘକୁ ଅଧିକ ଦୃଢ଼ତା ସହ ଇସ୍ରାଏଲ ଉପରେ ଚାପ ପକାଇବାକୁ ପଡିବ, ଯେପରି ସେ ଅନ୍ତର୍ଜାତୀୟ ନ୍ୟାୟାଳୟର ଆଦେଶକୁ ପାଳନ କରେ ଏବଂ ଗାଜାରେ ତୁରନ୍ତ ଯୁଦ୍ଧବିରତି ଘୋଷଣା କରେ। ମାନବିକ ସହାୟତାକୁ ବିନା ଅବରୋଧରେ ଗାଜାକୁ ପଠାଇବାରେ ସାହାଯ୍ୟ କରିବା ଜାତିସଂଘର ତତ୍କାଳ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ କାତାର ଉପରେ ଇସ୍ରାଏଲର ଆକ୍ରମଣ କେବଳ ଏକ ସାର୍ବଭୌମ ରାଷ୍ଟ୍ରର ଅଧିକାରକୁ ଉଲ୍ଲଂଘନ କରେ ନାହିଁ, ବରଂ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରୁଛି । ଏହା ମଧ୍ୟ ଗାଜା ଯୁଦ୍ଧକୁ ଶେଷ କରିବା ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଚାଲିଥିବା କୂଟନୈତିକ ପ୍ରୟାସଗୁଡିକୁ ଦୁର୍ବଳ କରୁଅଛି । ଏହି ସମସ୍ତ ବିପର୍ଯ୍ୟୟ ମଧ୍ୟରେ, ସାଧାରଣ ନାଗରିକମାନଙ୍କର ସାହସ ଆଶାର ଏକମାତ୍ର କିରଣ। ସାରା ବିଶ୍ୱରେ ଡକ ଶ୍ରମିକ, ଟ୍ରେଡ ୟୁନିଅନ, ଛାତ୍ର ଏବଂ ଅଭିଭାବକମାନେ ଏହି ନରସଂହାରକୁ ବିରୋଧ କରି ଏହାର ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ଇତିହାସ ଏହି ନରସଂହାରକୁ ମନେ ରଖିବ, ଏବଂ ଯେଉଁମାନେ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି, ସେମାନଙ୍କୁ ମଧ୍ୟ ମନେ ରଖିବ। ମାନବତାର ଏହି ପରୀକ୍ଷା ସମୟରେ, ନିରବତା ଏକ ବିକଳ୍ପ ନୁହେଁ।



