www.samajalive.in
Monday, December 8, 2025
27.1 C
Bhubaneswar

ସମ୍ପାଦକୀୟ: ସ୍ବାଗତମ୍‌ ରାଧାକୃଷ୍ଣନ୍‌

ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଶା ଓ ଅନୁମାନ ମୁତାବକ ହୋଇଛି। ଶାସକ ଏନଡିଏ  ମେଣ୍ଟର ପ୍ରାର୍ଥୀ ସି.ପି.ରାଧାକୃଷ୍ଣନ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କୁ ପାର୍ଲାମେଣ୍ଟର ଦୁଇ ସଦନର ୭୮୧ ଭୋଟରଙ୍କ ମଧ୍ୟରୁ ୪୫୨ ଜଣ ଭୋଟ ଦେଇଥିବାବେଳେ ବିରୋଧୀ ଇଣ୍ଡିମେଣ୍ଟର ପ୍ରାର୍ଥୀ ଜଷ୍ଟିିସ ବି.ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ମାତ୍ର ୩୦୦ ଭୋଟ।  ଏହା ଏକ ପ୍ରତୀକାତ୍ମକ ଲଢ଼େଇ ଥିଲା। ଏନ୍‌ଡିଏ ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ସ୍ପଷ୍ଟ ଥିବା ସତ୍ତ୍ବେ କଂଗ୍ରେସ ନେତୃତ୍ବରେ ପରିଚାଳିତ ଇଣ୍ଡିମେଣ୍ଟ ପ୍ରତିଦ୍ବନ୍ଦ୍ବିତା ଚାହିଁ ନିଜର ପ୍ରାର୍ଥୀ ଦେଇଥିଲା। ଆଶା ଥିଲା ଏକ ପ୍ରତୀକାତ୍ମକ ଲଢ଼େଇରେ ନିଜର ସାମର୍ଥ୍ୟ ପରଖିବା ଏବଂ ନିଜର ଐକ୍ୟ ବଜାୟ ରଖି ଶାସକ ମେଣ୍ଟ ପାଇଁ ରାଜନୀତିକ ପ୍ରତିବନ୍ଧକ ସୃଷ୍ଟି କରିବା। ପରିଣାମ କିନ୍ତୁ ଇଣ୍ଡିମେଣ୍ଟ ପାଇଁ ଆଶାଜନକ ହୋଇନାହିଁ। ଏନଡିଏର ବିଜୟୀ ପ୍ରାର୍ଥୀଙ୍କ ସପକ୍ଷରେ ବିରୋଧୀ ପକ୍ଷରୁ ୧୯ଜଣ କ୍ରସ୍‌ଭୋଟିଂ କରିଛନ୍ତି।  ଗତଥର  ଅପେକ୍ଷା ବିରୋଧୀ ପ୍ରାର୍ଥୀ ଏଥର ଅଧିକ ଭୋଟ ପାଇଥିଲେ ମଧ୍ୟ କ୍ରସ୍‌ଭୋଟିଂ ସୂଚାଉଛି ଯେ ଇଣ୍ଡିମେଣ୍ଟରେ ଏକତା ନାହିଁ। ବିବେକାନୁମୋଦିତ ଭୋଟ ମିଳିବ ବୋଲି ଯେଉଁ ଆଶା ବିରୋଧୀ ରଖିଥିଲେ ତାହା ମଧ୍ୟ ଓଲଟା ପ୍ରମାଣିତ ହୋଇଛି। ଏହାସତ୍ତ୍ବେ ରାଜନୀତିଏକ ସମ୍ଭାବନାର କଳା ହୋଇଥିବାରୁ ଏହି ପଦ ନିମନ୍ତେ  ଲଢ଼େଇ ହେବା ଗଣତନ୍ତ୍ର ପାଇଁ ସ୍ବାଗତଯୋଗ୍ୟ।
 ଏନ୍‌ଡିଏ ପ୍ରାର୍ଥୀ ଜିତିବାର ଥିଲା ଓ ସେ ଜିତିଲେ। ତଥାପି ତାଙ୍କ ବିପୁଳ ବିଜୟ ପ୍ରେକ୍ଷାପଟରେ ଏନ୍‌ଡିଏ, ବିଜେପି ଓ ସଂଘ ପରିବାର ତୁଙ୍ଗନେତା, କର୍ମୀମାନେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ ନିକଟ ଭବିଷ୍ୟତରେ  ଦେଶର ରାଜନୀତିରେ ଇଣ୍ଡିମେଣ୍ଟ ଶାସକ ମେଣ୍ଟର ବିକଳ୍ପ ନୁହେଁ। ବିହାର ନିର୍ବାଚନ ଉପରେ ଏହାର କିଛି ପ୍ରଭାବ ଅବଶ୍ୟ ପଡ଼ିବ  ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଏନଡିଏ ନିଜ ସ୍ଥିତିରେ ଉନ୍ନତି ଆଣିପାରେ। ଏହା ଅବଶ୍ୟ ସତ୍ୟ ଯେ ଏହି ଉପରାଷ୍ଟ୍ରପତି ନିର୍ବାଚନ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଯୋଗୁଁ ଦେଶ ଉପରେ ଲଦି ଦିଆଯାଇଥିଲା। ଯେଉଁ ପରିସ୍ଥିତିରେ ଓ ଯେଭଳି ତତ୍କାଳୀନ ଉପରାଷ୍ଟ୍ରପତି ଜଗଦୀପ୍‌ ଧନଖଡ଼ ନିଜ ପଦ ଛାଡ଼ିଥିଲେ ତାହା ଏବେ ମଧ୍ୟ ରହସ୍ୟାବୃତ। ସ୍ବାସ୍ଥ୍ୟଗତ କାରଣ ଏକ ବାହାନା ଥିଲା। କୌଣସି ଏକ ଅପ୍ରୀତିକର ସ୍ଥିତିରୁ ନିଜକୁ ବଞ୍ଚାଇବାକୁ ସରକାର ଓ ବିଜେପି ଧନଖଡ଼ଙ୍କୁ ହଟାଇବାକୁ ବୋଧହୁଏ ବାଧ୍ୟ ହୋଇଥିଲା। ତେବେ ସେ ଯା’ହେଉ ଏନ୍‌ଡିଏ ତାହାର ପ୍ରାର୍ଥୀଙ୍କୁ ଜିତାଇବା ସହିତ ନିଜର ରାଜନୀତିକ ସମୀକରଣକୁ ଏକ ନୂଆ ରୂପ ଦେବାରେ ସଫଳ ହୋଇଛି। ଏଥି ସହିତ ସଂଘ ପରିବାରର ଜଣେ ପୁୁରୁଖା ସଦସ୍ୟ ରାଧାକୃଷ୍ଣନ ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ଜଣେ ଭଲ ସଂଗଠକ ଏବଂ ସମର୍ପିତ ବ୍ୟକ୍ତି। ତାମିଲନାଡ଼ୁର ତୃତୀୟ ନେତା ଭାବେ ସେ ଏହି ପଦକୁ  ଯାଇଛନ୍ତି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ତାଙ୍କର କାର୍ଯ୍ୟ ଭଲ ଥିଲା। ବିଭିନ୍ନ ପ୍ରକାର ସାମାଜିକ ସଂସ୍କାର, ଏକକ ନାଗରିକ ସଂହିତା ପ୍ରବର୍ତ୍ତନ, ଅସ୍ପୃଶ୍ୟତାର ଅବସାନ ଓ ନିଶା ବିରୋଧରେ ଜନ ସଚେତନତା ସୃଷ୍ଟିରେ ତାଙ୍କର ଅବଦାନ ଭଲ। ଆଶା କରାଯାଉଛି ଯେ ସେ ରାଜ୍ୟସଭାର ସ୍ଥାୟୀ ଅଧ୍ୟକ୍ଷଭାବେ ତାଙ୍କର କାର୍ଯ୍ୟ ଉଦାହରଣୀୟ ରହିବ। ଆମେ ତାଙ୍କୁ ଏହି ଅବସରରେ ସ୍ବାଗତ ଜଣାଉଛୁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories