ବୌଦ୍ଧ ଭିକ୍ଷୁଣୀଙ୍କ ବିହାରରେ ଗୌତମୀ (ଭିକ୍ଷୁଣୀ)ଙ୍କ ମାର୍ଗଦର୍ଶନରେ ପଞ୍ଚଶତାଧିକ ଭିକ୍ଷୁଣୀ ରହୁଥିଲେ। ଜେତବନ (ତଥାଗତଙ୍କ ନିବାସ ସ୍ଥାନ)ରୁ ପ୍ରାୟଶଃ ବରିଷ୍ଠ ତଥା ଜ୍ଞାନୀ ଭିକ୍ଷୁମାନଙ୍କୁ ଆମନ୍ତ୍ରିତ କରାଯାଉଥିଲା ଭିକ୍ଷୁଣୀମାନଙ୍କୁ ଧର୍ମଶିକ୍ଷା ଦେବାପାଇଁ। ତଥାଗତଙ୍କର ଆନନ୍ଦଙ୍କୁ ନିର୍ଦେଶ ଥିଲା ପ୍ରତ୍ୟହ ବରିଷ୍ଠ ଭିକ୍ଷୁମାନଙ୍କୁ ପଠାଇ ଭିକ୍ଷୁଣୀଙ୍କୁ ଧର୍ମଶିକ୍ଷା ଦେବା ବ୍ୟବସ୍ଥା କରିବାକୁ। ତଦନୁଯାୟୀ ଆନନ୍ଦ ବରିଷ୍ଠ ଭିକ୍ଷୁ ମାଣ୍ଡଙ୍କୁ ସେଦିନ କହିଥିଲେ ଭିକ୍ଷୁଣୀମାନଙ୍କୁ ଉପଦେଶ ଦେବା ପାଇଁ। ମାନ୍ୟ ମାଣ୍ଡ ସାଧନା-ଅଭ୍ୟାସ କ୍ଷେତ୍ରରେ ଅନେକ ପ୍ରଗତି କରିଥିଲେ; କିନ୍ତୁ ଭାଷଣ ଦେବାର କଳା ହାସଲ କରି ନଥିଲେ। ନିର୍ଦ୍ଧାରିତ ଦିନ ଭିକ୍ଷାଟନରୁ ଆସି ମାଣ୍ଡ ଜଙ୍ଗଲରେ ଖାଦ୍ୟ ଗ୍ରହଣ ପରେ ଭିକ୍ଷୁଣୀମାନଙ୍କ ବିହାରକୁ ଯାଇଥିଲେ। ଭିକ୍ଷୁଣୀମାନେ ଉତ୍ସାହ ସହକାରେ ମାଣ୍ଡଙ୍କୁ ସ୍ବାଗତ କରିଥିଲେ। ବରିଷ୍ଠ ଭିକ୍ଷୁଣୀ ଗୌତମୀ ମଞ୍ଚ ଉପରକୁ ପାଛୋଟି ନେଇ ଆସୀନ କରାଇବା ସହ ଧର୍ମୋପଦେଶ ଦେବା ନିମନ୍ତେ ଅନୁରୋଧ କରିଥିଲେ। ଆସନ ଗ୍ରହଣ କରି ଧର୍ମଶିକ୍ଷାଦେବା ପରିବର୍ତ୍ତେ ମାଣ୍ଡ ଏକ କବିତା ପାଠ କରିଥିଲେ, ଯାହା ତଥାଗତଙ୍କ ଧ୍ୟାନ ଅନୁଭୂତି ଓ ତାଙ୍କ ପ୍ରତି ଅପାର ପ୍ରେମ ସମ୍ବଳିତ ଥିଲା।
ବରିଷ୍ଠ ଭିକ୍ଷୁ ମାଣ୍ଡ ସେହି କବିତା ପାଠ ବ୍ୟତିରେକ କିଛି ବି କହି ନଥିଲେ। ଅନ୍ୟ ପକ୍ଷରେ ମଞ୍ଚ ଉପରେ ବସିବସି ଗଭୀର ସମାଧି ଅବସ୍ଥା ପ୍ରାପ୍ତ ହୋଇଯାଇଥିଲେ। ଧ୍ୟାନ ଜନିତ ଉଚ୍ଚାବସ୍ଥା କାରଣରୁ ତାଙ୍କର ଉପସ୍ଥିତିରେ ଶାନ୍ତି ଓ ପ୍ରସନ୍ନତାର ବାତାବରଣ ଭରି ଯାଇଥିଲା ସଭାସ୍ଥଳରେ। କିଛି ଯୁବ ଭିକ୍ଷୁଣୀ ଓ ପ୍ରଖର ଉଦ୍ବୋଧନରେ ବିଶ୍ବାସୀ ଭିକ୍ଷୁଣୀ ଗୌତମୀଙ୍କୁ ନିବେଦନ କରି କହିଥିଲେ- ‘କୃପାକରି ତାଙ୍କୁ କୁହନ୍ତୁ ଆମକୁ କିଛି ଧର୍ମଶିକ୍ଷା ଦେଇ ମାର୍ଗଦର୍ଶନ କରିବା ନିମନ୍ତେ। ଆମେ ତାଙ୍କ ଭଳି ଜଣେ ବରିଷ୍ଠ, ଜ୍ଞାନୀ ଭିକ୍ଷୁଙ୍କଠାରୁ ମାର୍ଗଦର୍ଶନ ଚାହୁଁଛୁ।’ ସେମାନଙ୍କ ଅନୁରୋଧ ଗୌତମୀ ଜଣାଇବାରୁ ମାଣ୍ଡ ଦ୍ବିତୀୟ ବାର ସେହି କବିତା ପାଠ କରି ମଞ୍ଚରୁ ଓହ୍ଲାଇ ଆସିଥିଲେ।
ଏହ ଘଟଣାର କିଛି ଦିନ ପରେ ମାଣ୍ଡଙ୍କ ଧର୍ମୋପଦେଶ ବିଷୟରେ ତଥାଗତଙ୍କୁ ସୂଚନା ଦିଆଯାଇଥିଲା। କୁହାଯାଇଥିଲା ଯେ ଭବିଷ୍ୟତରେ ଭିକ୍ଷୁଣୀମାନଙ୍କୁ ଯଥୋଚିତ ମାର୍ଗଦର୍ଶନ ନିମନ୍ତେ ପ୍ରତିଭାବାନ, ମାନ୍ୟ ଭିକ୍ଷୁଙ୍କୁ ପଠାଇବା ନିମନ୍ତେ ଯିଏ ଭଲ ଭାବରେ କହି ପାରୁଥିବେ। ଏହି ନିବେଦନକୁ ଅଗ୍ରାହ୍ୟ କରି ତଥାଗତ କହିଥିଲେ- ‘ଶବ୍ଦ (ବକ୍ତୃତା) ଅପେକ୍ଷା ସାଧକଙ୍କ ବ୍ୟକ୍ତିତ୍ବ ଅଧିକ ମହତ୍ତ୍ବପୂର୍ଣ୍ଣ। ପ୍ରଗଳ୍ଭ, ଅତିରଞ୍ଜନକାରୀ ଉଦ୍ବୋଧନ ତୁଳନାରେ ବ୍ୟକ୍ତିତ୍ବର ପ୍ରଭାବ ଅଧିକ ଛାପ ଛାଡ଼ିଥାଏ। ଚରିତ୍ର, ଆଚରଣ ଏବଂ ବ୍ୟକ୍ତିତ୍ବର ଶକ୍ତିଶାଳୀ ଛାପ ହିଁ ଶ୍ରୋତାଙ୍କ ଉପରେ ପଡ଼ିଥାଏ, ମନଭୁଲାଣିଆ ବକ୍ତୃତା ନୁହେଁ।’



